କାନପୁର: ଦୀପାବଳୀରେ ନର ରାକ୍ଷସଙ୍କ ବର୍ବରତା । 7 ବର୍ଷର ଝିଅକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା । ଏହି ଜଘନ୍ୟ କାଣ୍ଡ ଗୁଣିଗାରେଡି ସନ୍ଦେହରେ କରାଯାଇଛି । ଏତିକିରେ ଦାନବଙ୍କ ମନଶାନ୍ତି ହୋଇନଥିଲା । ଶେଷରେ ଶରୀରରୁ ବିଭିନ୍ନ ଅଙ୍ଗକୁ କାଢି ଦେବା ସହ ଶିଶୁର ଲିଭରକୁ ଖାଇଥିବା ଖବର ମିଳିଛି । ଏହି ପାଶବିକ କାରନାମା ଦୁଇ ଜଣ ଯୁବକ କରିଥିବା ବେଳେ ଏହା ପଛରେ ଜଣେ ନିଃସନ୍ତାନ ଦମ୍ପତିଙ୍କ ହାତ ରହିଛି । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଏହାସହ ସନ୍ଦେହ ଘେରରେ ଆସିଥିବା କିଛି ଲୋକଙ୍କୁ ରଖି ପଚରାଉଚରା କରାଯାଉଛି ।
ଘଟଣାକ୍ରମ ଏପରିକି, ଦୀର୍ଘ 21 ବର୍ଷ ପରେ ବି ସନ୍ତାନ ସୁଖରୁ ବଞ୍ଚିତ ଥିବା ଏକ ଦମ୍ପତି ଗୁଣିଗାରେଡିରେ ଭରଷା କରି ଏପରି କାଣ୍ଡ କରିଛନ୍ତି । ଯାହା ହୀନମାନ୍ୟତାର ସବୁ ସୀମାକୁ ପାର କରିଛି । ସନ୍ତାନ ଆଶା ରଖି ଗୋଟିଏ ନୀରିହ ଶିଶୁ ସହିତ କରିଛନ୍ତି ଅମାନବୀୟ ଘଟଣା । ତେବେ ପଚରାଉଚରା କରିବାରୁ ପୋଲିସକୁ କିଛି ସୁରାକ ମିଳିଛି ।
ଉକ୍ତ ଗାଁର ଜଣେ ମଧ୍ୟବୟସ୍କ ବ୍ୟକ୍ତି ତାଙ୍କ ଭଣଜା ଓ ଅନ୍ୟ 2 ଯୁବକଙ୍କ ସହ ଯୋଜନା କରି ଶିଶୁଟିକୁ ଟଙ୍କାର ଲୋଭ ଦେଖାଇଥିଲେ । ଦୀପାବଳୀରେ ବାଣ କିଣି ଦେବି କହି ନେଇଯିବା ସହ ଜଙ୍ଗଲ ମଧ୍ୟରେ ପ୍ରଥମ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲେ। ପରେ ପରେ ଶିଶୁଟିର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ କାଢି ଉକ୍ତ ଦମ୍ପତିକୁ ଦେଇଥିଲେ । ଏଥିପାଇଁ ଅଭିଯୁକ୍ତ ଦୁଇ ଯୁବକଙ୍କୁ 500 ଲେଖାଏଁ ଟଙ୍କା ଦେଇଥିଲେ ଦମ୍ପତି । ଅଭିଯୁକ୍ତ 2 ଜଣ ଦୁଷ୍କର୍ମ କରିବା ପୂର୍ବରୁ ମଦ୍ୟପାନ କରିଥିବା ଜଣାପଡିଛି।
ତେବେ କଅଁଳ ଶିଶୁ ସହ ଏପରି କରିବା ପରେ ଦମ୍ପତି ତାର କିଛି ଅଙ୍ଗପ୍ରତ୍ୟଙ୍ଗକୁ କୁକୁରକୁ ଖାଇବାକୁ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚିବା ସହ ରକ୍ତ ଭିଜା ଛୁରୀ ଓ ହତ୍ୟାରେ ବ୍ୟବହୃତ ଅନ୍ୟ ଅସ୍ତ୍ରକୁ ଜବତ କରିଛନ୍ତି । ଦୁଇ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଦମ୍ପତିକୁ ପଚରାଉଚରା ଜାରି ରହିଛି ।