ନୂଆଦିଲ୍ଲୀ: ଏନଆରସି ଏବଂ ସିଏଏକୁ ନେଇ ସାରା ଦେଶରେ ଉତ୍ତେଜନା ଜାରି ରହିଛି । କେଉଁଠି ଆନ୍ଦୋଳନ କରି ସିଏଏକୁ ନା କହୁଛନ୍ତି ତ କେଉଁଠି ବିଭିନ୍ନ ଦଳର ନେତାଏ ମଧ୍ୟ ଏହାକୁ ସମର୍ଥନ କରୁନାହାଁନ୍ତି । ଇତି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିଏଏକୁ ନେଇ ଧମକ ମିଳିଛି । ତାଙ୍କୁ ଧମକ ଦେଇଛି ଜମିୟତ-ଉଲେମା-ଏ-ହିନ୍ଦ ।
ସିଏଏ ପ୍ରତ୍ୟାହାର ନକଲେ ଶାହଙ୍କୁ କୋଲକତା ବିମାନ ବନ୍ଦରରେ ଅଟକାଇ ଦିଆଯିବ । ଲକ୍ଷ ଲକ୍ଷ ଲୋକ ଏଥିପ୍ରତି ସହଯୋଗ କରିବେ । ଏହାସହ ଶାହାଙ୍କୁ ସହରରେ ପ୍ରବେଶ କରିବାକୁ ମନା ବୋଲି କହିଛନ୍ତି ସିଦ୍ଦିକ-ଉଲା-ଚୌଧୁରୀ । ଗୃହମନ୍ତ୍ରୀ ଯଦି କେବେ କୋଲକାତାରେ ପାଦ ରଖନ୍ତି, ତେବେ ବିମାନ ବନ୍ଦରରୁ ଆଉ ଫେରିପାରିବେ ନାହିଁ । ତେଣୁ ସେ ଯଥାଶୀଘ୍ର ଏହି ଆଇନକୁ ଉଠାଇ ଦିଅନ୍ତୁ । ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଜମିୟତ-ଉଲେମା-ଏ-ହିନ୍ଦ୍ର ରାଜ୍ୟ ଅଧ୍ୟକ୍ଷ ସିଦ୍ଦିକ୍ଉଲ୍ଲା ନାଗରିକକତା ଆଇନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ।
ମନ୍ତ୍ରୀଙ୍କ ଏପରି ଧମକପୂର୍ଣ୍ଣ ବୟାନର ଜବାବ ଦେଇଛନ୍ତି ବିଜେପିର ପଶ୍ଚିମବଙ୍ଗ ଇକାଇ ଅଧ୍ୟକ୍ଷ ଦୀଲିପ ଘୋଷ । ସେ କହିଛନ୍ତି ଚୌଧୁରୀ ପୂର୍ବରୁ ମଧ୍ୟ ‘ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୌନ ସମର୍ଥନ’ କୁ ବିରୋଧ କରି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇସାରିଛନ୍ତି । ଘୋଷ ପୁଣି କହିଛନ୍ତି, ‘ରାଜ୍ୟର କୌଣସି ମନ୍ତ୍ରୀ ଏମିତି କିପରି ଧମକ ଦେଇପାରିବ ? ଯଦି ମୋଦି କିମ୍ବା ଶାହଙ୍କୁ ରାଜ୍ୟ ପ୍ରବେଶ ପାଇଁ ଅଟକ ରଖନ୍ତି ତେବେ ସେମାନଙ୍କ ଅବସ୍ଥା କିପରି ହେବ ସେମାନେ ଠିକ ଜାଣିଛନ୍ତି ।’