ଶ୍ରୀନଗର: ନିଜର ଦୁଇ ଦିନିଆ ଗସ୍ତରେ ଶ୍ରୀନଗରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ସେ ସର୍ବପ୍ରଥମେ ଅମରନାଥ ଯାତ୍ରା ଏବଂ ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ସେନା, ଅନ୍ୟ ସୁରକ୍ଷା ଏଜେନ୍ସି ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଶାହା ସେମାନଙ୍କ ଠାରୁ ରାଜ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ଏହା ସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଏବଂ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି ।
ତେବେ ଶାହା ଆତଙ୍କବାଦୀ ଦ୍ବାରା ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାର ସହ ସାକ୍ଷାତ କରିବେ ବୋଲି ଜଣା ପଡିଛି । ଏହା ବ୍ୟତିତ ଜୁନ 12ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ଏସଏଚଓ ଅରସଦ ଖାନଙ୍କ ଘରକୁ ଯିବେ ଶାହା ।
ତେବେ ଗୃହମନ୍ତ୍ରୀ ହିସାବରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଛନ୍ତି ଶାହା । ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । କାରଣ ଜମ୍ମୁ-କାଶ୍ମୀର ଆତଙ୍କବାଦୀ ପ୍ରସଙ୍ଗ ଏବେ ସରକାରଙ୍କ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି ।