ଲକ୍ଷ୍ନୌ: ଝାଡୁ ଧରି ସଫା କରୁଛନ୍ତି ବଡବଡିଆ ଅଧିକାରୀ । ହିଁ ଆଜ୍ଞା ଠିକ ବୁଝିଲେ । ଗାଜିଆବାଦ ଜିଲ୍ଲାପାଳଙ୍କ ଅଫିସରେ ତଳଠୁ ଉପରିସ୍ଥ କର୍ମଚାରୀ ସମସ୍ତେ ନିଜ କ୍ୟାବିନ ନିଜେ ସଫା କରନ୍ତି ।
ପ୍ରତିଦିନ ସକାଳ 9 ଟା 15 । ଅଫିସ ଆସୁଆସୁ ନା ଚା’ ନା କଫି, ନା କୌଣସି ନିର୍ଦ୍ଦେଶ । ବାସ୍ ହାତରେ ଝାଡୁ ଧରି ନିଜ ନିଜ କ୍ୟାବିନ ସଫା କରିବାରେ ଲାଗିପଡନ୍ତି ତମାମ ସିନିୟର ଅଫିସର । ଯେଉଁଥିପାଇଁ ଏହି କାର୍ଯ୍ୟାଳୟ ଏବେ ସ୍ବଚ୍ଛତାର ମିଶାଲ ଭାବେ ସମଗ୍ର ଦେଶରେ ପ୍ରଂଶସନୀୟ ।
ଜିଲ୍ଲାଧିକାରୀ ଅଜୟ ଶଙ୍କର ପାଣ୍ଡେ । ଜୁଲାଇ 2019ରେ ଚାର୍ଜ ସମ୍ଭାଳିବା ପରଠୁ ସେ ଏହି ଅଫିସର କାୟା ବଦଳାଇ ଦେଇଛନ୍ତି । ଏଇଥିପାଇଁ ତାଙ୍କ ରୁମ କ୍ୟାବିନ ପାଖରେ ଏକ ବୋର୍ଡ ମଧ୍ୟ ଟଙ୍ଗା ଯାଇଛି । ଯେଉଁଥିରେ ଲେଖାଯାଇଛି କି ‘ଏହି ରୁମର ସଫା ମୁଁ ନିଜେ କରେ । ଏଣୁ ଦୟାକରି ଏହାକୁ ଅନାବଶ୍ୟକ ଭାବେ ଅପରିଷ୍କାର କରି ମୋ କାମ ବଢାନ୍ତୁନି । ’ ଜିଲ୍ଲାର ମୁଖିଆ ହୋଇ ବି ସେ ନିତି ଅଫିସ ଆସିବା କ୍ଷଣି ହାତରେ ଝାଡୁ ନେଇ ନିଜ କ୍ୟାବିନକୁ ସଫା କରିବାରେ ଲାଗିପଡନ୍ତି ।
ସେହିପରି ସତ୍ବେନ୍ଦ୍ର କୁମାର ସିଂହ । ଗାଜିଆବାଦ ଉପଜିଲ୍ଲାପାଳ । ନିଜ କ୍ୟାବିନକୁ ସଫା କରି ଅଳିଆ ବାହାର କରନ୍ତି । ଏହି ସଫେଇରେ ଅଫିସର ମହିଳା କର୍ମଚାରୀ ବି ପଛରେ ନାହାନ୍ତି ।
ଏ ହେଉଛନ୍ତି ସେମାନେ , ଯାହାର ଗୋଟିଏ ଗୋଟିଏ ସାଇନରେ ବଡ ବଡ ବିଲ ପାସ ହୋଇଥାଏ । ଯାହାର ଆଗ ପଛରେ ସୁରକ୍ଷାର ଲମ୍ବା ଲାଇନ ଲାଗିଥାଏ । ହେଲେ ଏଠାକାର କର୍ମଚାରୀଙ୍କ କାମ ପ୍ରତି ନିଷ୍ଠା ଓ ପରିବେଶ ପ୍ରତି କର୍ତ୍ତବ୍ୟ ସତରେ ସମସ୍ତଙ୍କ ପାଇଁ ପ୍ରେରଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ