ନୂଆଦିଲ୍ଲୀ: ମୋଦିଙ୍କ ପୂର୍ବ ସରକାରରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଥିବା ଅଜିତ୍ ଡୋଭାଲଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ମୋଦି । ତାଙ୍କୁ ଆଗାମୀ 5 ବର୍ଷ ପାଇଁ ପୁଣିଥରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ତେବେ ଏହା ସହିତ ତାଙ୍କର ପଦୋନ୍ନତି ମଧ୍ୟ କରିଛନ୍ତି ମୋଦି । ରାଷ୍ଟ୍ରୀୟ ସୁରକ୍ଷାରେ ତାଙ୍କର ଯୋଗଦାନକୁ ଦେଖି ତାଙ୍କୁ କ୍ୟାବିନେଟ ପାହ୍ୟାର ମାନ୍ୟତା ଦେଇଛନ୍ତି ।
ତେବେ ଡୋଭାଲଙ୍କ ଏହି ପଦୋନ୍ନତି ପରେ ଏହା ସ୍ପଷ୍ଟ ହେଉଛି ଯେ, ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ତାଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । ଏହା ପୂର୍ବରୁ ଶାହା ଅଜିତ ଡୋଭାଲଙ୍କ ସହ ବୈଠକ କରି ଦେଶର ସୁରକ୍ଷା ଉପରେ ପରାମର୍ଶ ନେଇଥିଲେ ।
ସୂଚନା ଯୋଗ୍ୟ ଯେ, ଅଜିତ ଡୋଭାଲଙ୍କ ତତ୍ବାବଧାନରେ ପାକିସ୍ତାନର ବାଲକୋଟରେ ଏୟାର ଷ୍ଟ୍ରାଇକ ହୋଇଥିଲା । ଏନେଇ ନିଜେ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଥିଲେ । ସେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ସମୟରେ ମଧ୍ୟ ଚର୍ଚ୍ଚାରେ ଆସିଥିଲେ ।