ହାଇଦ୍ରାବାଦ: ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲମି ଏବେ ଭାରତୀୟ ମାର୍କେଟ ଉପରେ ନଜର ପକାଇଛି । ଲକଡାଉନ ପରେ ଏହା ପ୍ରଥମ କମ୍ପାନୀ ଯାହା ଲୋକଙ୍କ ପାଇଁ ଅଫର ଆଣିଛି । ପ୍ରଥମେ ସ୍ମାର୍ଟଫୋନ ଓ ସ୍ମାର୍ଟୱାଚ୍ ପରେ ଏବେ ବାହାରିଛି ସ୍ମାର୍ଟଟିଭି । ଏନେଇ ସୋମବାର କମ୍ପାନୀ ଘୋଷଣା କରିଛି ।
ତେବେ କମ୍ପାନୀର ଏହି ସ୍ମାର୍ଟଟିଭି ମାତ୍ର 12 ହଜାର 999 ଟଙ୍କାରେ ଭାରତୀୟ ମାର୍କେଟରେ ଉପଲବ୍ଧ ହେବ । ଏହାର ମେଡିଆଟେକ୍ 64 ବିଟ୍ କ୍ବାଡ୍ କୋର ପ୍ରୋସେସର ଏବଂ ଡଲବି ଅଡିଓ ସାର୍ଟିଫାଏଡ 24 ୱାଟ୍ କ୍ବାଡ୍ ଷ୍ଟୋରିଓ ସ୍ପିକର୍ସ ରହିଛି । ଏହାର 2ଟି ଭର୍ସନ ବାହାରିଛି । ଗୋଟିଏ 32 ଇଞ୍ଚ ଯାହାର ଦାମ 12 ହଜାର 999 ରହିଛି । ସେହିପରି 43 ଇଞ୍ଚ ମଡେଲର ଦାମ 21 ହଜାର 999 ରହିଛି । ତେବେ ଜୁନ 2ରୁ ଏହି ଦୁଇଟି ମଡେଲର ସେଲ ଆରମ୍ଭ ହେବ । ଫ୍ଳିପକାର୍ଟ ଓ ରିଏଲମି ଡଟ କମରେ ଏହା ବିକ୍ରି ହେବ । ପ୍ରକାଶ ଥାଉ କି ମେ 29ରେ ନିଜର ନୂଆ ସ୍ମାର୍ଟଫୋନ ଆଣୁଛି ରିଏଲମି ।
ରିଏଲମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ ଭାରତୀୟ ମାର୍କେଟ ରିଏଲମି କମ୍ପାନୀ ପାଇଁ ସବୁବେଳେ ପ୍ରାଥମିକତା । ସ୍ମାର୍ଟଫୋନ ସହ ବାକି ସମସ୍ତ ପ୍ରଡକ୍ଟ ଲଞ୍ଚ ପାଇଁ ଏହା ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲା । ଯଦିଚ କୋରୋନା ଯୋଗୁଁ ବିଜିନେସରେ ସାମାନ୍ୟ ମାନ୍ଦା ଦେଖାଦେଇଛି କିନ୍ତୁ ଅଫର ଯୋଗୁଁ ଏହା ମାର୍କେଟରେ ଅଧିକ ବିକ୍ରି ହେବ ବୋଲି କମ୍ପାନୀ ଆଶା ରଖିଛି । ଏହି ସ୍ମାର୍ଟଟିଭିରେ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ, ୟୁଟ୍ୟୁବ ଏବଂ ପ୍ରାଇମ ଭିଡିଓ ଆଦି ଅପସନ ରହିଛି । ଏହାର ଅଲଟ୍ରା ହାଇ ବ୍ରାଇଟନେସ 400 ନିଟ୍ସ ଯାଏଁ ରହିଛି । ଦିନବେଳା ମଧ୍ୟ ଏହାର କ୍ରୋମା ବୁଷ୍ଟ ଟେକ୍ନୋଲୋଜି ଦର୍ଶକଙ୍କୁ ଭିଭିଡ ଅଭିଜ୍ଞତା ଦେବ ।
ସ୍ମାର୍ଟଟିଭି ଉପରେ କମ୍ପାନୀ ଏକ ବର୍ଷ ଯାଏଁ ୱାରେଣ୍ଟି ଏବଂ ପାନେଲ ଉପରେ ଅଧିକ ଏକ ବର୍ଷ ୱାରେଣ୍ଟି ପ୍ରଦାନ କରୁଛି । କମ୍ପାନୀ ଏହାସହ ଏକ ବୁଡ୍ସ ଏୟାର ନିଓ ଲଞ୍ଚ କରୁଛି । ଏହାର ଦାମ 2999 ରହିଛି ଯାହା ସୋମବାରଠାରୁ ଫ୍ଲିପକାର୍ଟ ଓ ରିଅଲମି ଡଟ୍ କମରେ ଉପଲବ୍ଧ ହେଉଛି । ଏହାର ବ୍ୟାଟେରୀ ଲାଇଫ୍ 17 ଘଣ୍ଟା ଯାଏଁ ରହିବ । ସେହିପରି କମ୍ପାନୀ ଗୋଟିଏ 10 ହଜାର ଏମଏଏଚର ପାୱାର ବ୍ୟାଙ୍କ ମଧ୍ୟ ଲଞ୍ଚ କରିଛି ଯାହାର ଦାମ 999 ରହିଛି ।