ନୂଆଦିଲ୍ଲୀ: 2020-21 ବର୍ଷ ପାଇଁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଡମିଶନ ଆରମ୍ଭ ହୋଇଛି। କଟଅଫ ମାର୍କ ଆଧାରରେ ପ୍ରଥମ ଦିନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଡମିଶନ ପାଇଁ 19 ହଜାର 86 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ସମସ୍ତ ଆବେଦନ ଅନଲାଇନ ମାଧ୍ୟମରେ କରାଯାଉଛି। ଆଡମିଶନ ସମ୍ପର୍କୀତ କୌଣସି ସମସ୍ୟା ଥିଲେ ତାହାକୁ ମଧ୍ୟ ଅନଲାଇନ ମାଧ୍ୟମରେ ସମାଧାନ କରାଯିବ।
କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କୁ କୌଣସି ପରିସ୍ଥିତିରେ ୟୁନିଭର୍ସିଟି କ୍ୟାମ୍ପସକୁ ଆସିବାକୁ ବାରଣ କରାଯାଇଛି। 19 ହଜାର 86 ଆବେଦନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 1 ହଜାର 628 ଆବେଦନକୁ ମଞ୍ଜୁରୀ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା 920 ଛାତ୍ରଛାତ୍ରୀ ନିଜର କୋର୍ସ ଫିସ ଜମା କରିସାରିଛନ୍ତି।
ଦିଲ୍ଲୀ ୟୁନିଭର୍ସିଟିରେ ଆଡମିଶନ ପାଇଁ ଛାତ୍ରଛାତ୍ରୀମାନେ www.du.ac.inରେ ଲଗଇନ କରିପାରିବେ। ପ୍ରଥମ କଟଅଫରେ ଆଡମିଶନ ପାଇଁ 14 ଅକ୍ଟୋବର ଯାଏଁ ଶେଷ ତାରିଖ ରହିଛି। ସେହିଭଳି 16 ଅକ୍ଟୋବର ସୁଦ୍ଧା ଛାତ୍ରଛାତ୍ରୀ ମାନେ ପ୍ରଥମ କଟଅଫରେ ଆଡମିଶନ ଫିସ ଜମା କରିପାରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ