ସିମଲା: ଆରମ୍ଭ ହୋଇଛି ପାର୍ବଣର ଋତୁ । ଶୀତଳ ପରିବେଶର ଆଗମନ ସହିତ ଦେଶର କୋଣ ଅନୁକୋଣରେ ଆୟୋଜିତ ହେଉଛି ବିଭିନ୍ନ ପର୍ବପର୍ବାଣୀ । ଏହି କ୍ରମରେ ହିମାଚଳ ପ୍ରଦେଶରେ ଆୟୋଜିତ ହେଉଛି ବଣ୍ଡା ମହୋତ୍ସବ । ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏହା ହେଉଛି ପ୍ରମୁଖ ପର୍ବ ।
ତିନ ଦିନ ଧରି ଏହି ପର୍ବକୁ ପାଳନ କରନ୍ତି ଜିଲ୍ଲାବାସୀ । ଏହି ପର୍ବର ଶେଷ ଦିନରେ ସମସ୍ତେ ନିଜ ନିଜ ଘରକୁ ଫେରିଥାନ୍ତି । ଏହି ପର୍ବର ପ୍ରଥମ ଦିନରେ ସଭିଏଁ ଏଠାକୁ ଆସି ପହଞ୍ଚିଥାନ୍ତି ।
ସୂଚନାଯୋଗ୍ୟ ଚମ୍ବା ଜିଲ୍ଲାରେ ଶୀତ ଦିନ ଆରମ୍ଭରୁ ହିଁ ତୁଷାରପାତ ଆରମ୍ଭ ହୋଇଯାଇଥାଏ । ଫଳରେ ଏହି ତୁଷାର ପାତ ସହିତ ପର୍ବ ପାଳନର ମଜା ନିଆରା ହୋଇଥାଏ । ଏହାକୁ ଯୁବକମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ତେବେ ପାରମ୍ପରିକ ଉତ୍ସବକୁ ନୀତିନିୟମ ସହିତ ବେଶ ଧୁମଧାମରେ ପାଳନ କରିଥାନ୍ତି ଜିଲ୍ଲାବାସୀ ।
ମହୋତ୍ସବର ଦ୍ବିତୀୟ ଦିନରେ ତିନୋଟି ମଶାଲ ଜଳାଇଥାନ୍ତି । ପରମ୍ପରା ଅନୁଯାୟୀ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ପ୍ରତିକ ଭାବେ ଏହି ମଶାଲକୁ ଧରାଯାଇଥାଏ । ଗ୍ରାମବାସୀମାନେ ପାରମ୍ପରିକ ବେଶଭୂଷାରେ ପ୍ରସ୍ତୁତ ହୋଇ ପାରମ୍ପରିକ ନୃତ୍ୟ କରିଥାନ୍ତି । ମଶାଲର ଅଗ୍ନି ସମ୍ପୂର୍ଣ୍ଣ ଭାବେ ଲିଭିବା ପର୍ଯ୍ୟନ୍ତ ଗ୍ରାମବାସୀମାନେ ନୃତ୍ୟ କରିଥାନ୍ତି ।