ନୂଆଦିଲ୍ଲୀ: ଭାରତୀୟ ଲୋକତନ୍ତ୍ରକୁ ଅଧିକ ଦୃଢ ଓ ବ୍ୟାପକ କରିବା ପାଇଁ ନିର୍ବାଚନରେ ପ୍ରାର୍ଥୀଙ୍କ ଛଡା ଅନ୍ୟ ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଗଣତନ୍ତ୍ରକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ତାହା ହେଉଛି ନୋଟାର ବିକଳ୍ପ । ଦେଶରେ ପ୍ରଥମଥର ଏହାର ପ୍ରୟୋଗ ୨୦୧୪ର ସାଧାରଣ ନିର୍ବାଚନରେ କରାଯାଇଥିଲା । ଏହି ସମୟରେ ମତଦାତା ଏହାର ପ୍ରବଳ ବ୍ୟବହାର ମଧ୍ୟ କରିଥିଲେ । ନିଜ ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀଙ୍କୁ ଭୋଟ ଦେବା ପରିବର୍ତ୍ତେ ଏହି ନୋଟା ମାଧ୍ୟମରେ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଅନ୍ୟପକ୍ଷେ ଏହାର ପ୍ରୟୋଗ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡି ନଥାଏ । ନୋଟା ଠାରୁ କମ ଭୋଟ ପାଉଥିବା ପ୍ରାର୍ଥୀ ମଧ୍ୟ ବିଜୟ ଘୋଷିତ ହୋଇଥାଏ ।
୨୦୧୪ ଲୋକସଭା ନିର୍ବାଚନରେ ସମସ୍ତ ରାଜ୍ୟରେ ନୋଟାର ପ୍ରଭାବ ରହିଥିଲା । କିନ୍ତୁ ବିଶେଷ କରି ଦେଶର ୧୦ଟି ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିଥିଲା । ଏହା ମଧ୍ୟରୁ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ନୋଟା ପ୍ରୟୋଗ କରିବାରେ ପ୍ରଥମ ସ୍ଥାନରେ ଥିଲା । ମେଘାଳୟରେ ୩୦,୧୪୫ ମତଦାତା ଏହି ନୋଟା ବଟନକୁ ଦବାଇ ଥିଲେ । ଯାହା ସର୍ବମୋଟ ଭୋଟର ୨.୯୮ ଥିଲା ।
ସେହିପରି ଦେଶର ଆଦିବାସୀ ବହୁଳ ରାଜ୍ୟ ଛତିଶଗଡ ନୋଟା ଦବାଇବା ମାମଲାରେ ଦ୍ବିତୀୟ ସ୍ଥାନରେ ଥିଲା । ଏଠାରେ ୧.୯୪ ପ୍ରତିଶତ ଭୋଟ ନୋଟାରେ ପଡିଥିଲା । ସେହିପରି ଗୁଜୁରାଟ ତୃତୀୟ ସ୍ଥାନରେ ରହିଥିଲା । ଏଠାରେ ନୋଟାରେ ୧.୯୪ ପ୍ରତିଶତ ଭୋଟ ପଡିଥିଲା । ଏହାଛଡା ବିହାରରେ ୧.୬୩ ପ୍ରତିଶତ(୫,୮୦,୯୬୪ଭୋଟ), ଝାଡଖଣ୍ଡରେ ୧.୪୯ ପ୍ରତିଶତ(୧,୯୦,୯୨୭ ଭୋଟ), ଓଡିଶା ୧.୫୫ ପ୍ରତିଶତ(୩,୩୨,୭୬୬ ଭୋଟ), ତାମିଲନାଡୁ ୧.୪୪ ପ୍ରତିଶତ, ମିଜୋରାମ ୧.୪୯ ପ୍ରତିଶତ(୬,୪୯୫ ଭୋଟ), ସିକିମ ୧.୪୦ ପ୍ରତିଶତ(୪,୩୩୨ ଭୋଟ), ମଧ୍ୟ ପ୍ରଦେଶ ୧.୩୧ ପ୍ରତିଶତ(୩,୯୧,୮୩୭ ଭୋଟ) ଭୋଟ ନୋଟାରେ ପଡିଥିଲା । ଏହାଛଡା ଉତ୍ତର ପ୍ରଦେଶରେ ୭ ଲକ୍ଷ ଭୋଟ ନୋଟାରେ ପଡିଥିଲା ।
ଏହାସହ ଛତିଶଗଡର ବସ୍ତର ଲୋକସଭା ଆସନରେ ୫.୦୪ ପ୍ରତିଶତ ନୋଟା ପଡିଥିଲା । ଯାହା ସର୍ବାଧିକ ଥିଲା । ସେହିପରି ତାମିଲନାଡୁର ନୀଲଗିରିରେ ୪.୯୯ ପ୍ରତିଶତ, ଓଡିଶାର ନବରଙ୍ଗପୁରରେ ୪.୩୪ ପ୍ରତିଶତ, ମେଘାଳୟର ତୁରାରେ ୪.୧୯ ପ୍ରତିଶତ, ଓଡିଶାର କୋରାପୁଟରେ ୩.୫୮ ପ୍ରତିଶତ ନୋଟା ପଡିଥିଲା ।