ଗାନ୍ଧୀନଗର: ସୋମବାର ଗୁଜରାଟର ପଳାଶନ ତାଲୁକା ଅଞ୍ଚଳରୁ ଜଣେ ଅଜଣା ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ପଳାଶନ ତାଲୁକା ଅଞ୍ଚଳର ଗାଙ୍ଗପୁର ଗାଁ ରେଳ ଧାରଣା ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ। ଯୁବତୀଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିବା ନେଇ ସୂଚନା ମଳିଛି।
ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ପୋଲିସ ସହାୟତାରେ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଯୁବତୀଙ୍କ ସ୍ଥିତି ସଙ୍କଟାପନ୍ନ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ଚେତା ଫେରିନଥିବା ସୂଚନା ମିଳିଛି।
ଗତ ସୋମବାର ଗଙ୍ଗାଧର ରେଳ ଷ୍ଟେସନ ମାଷ୍ଟର ଜଣେ ଯୁବତୀ ରେଳ ଧାରଣା ନିକଟରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ନେଇ ସ୍ଥାନୀୟ ରେଲୱେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଯୁବତୀଙ୍କ ବାମ ଓ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଯୁବତୀ ଜଣକ କୌଣସି ଟ୍ରେନରୁ ଖସି ପଡ଼ିଥିବା କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି।
ପଳାଶନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପଳାଶନ ପୋଲିସ ଥାନା ଅଧିକାରୀ କହିଛନ୍ତି ଯେ, "ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଯୁବତୀଙ୍କ ଡାକ୍ତରୀ ମାଇନା ସହ ଅନ୍ୟାନ୍ୟ ପରୀକ୍ଷା କରାଯିବ। ଏହାପରେ ତଦନ୍ତକୁ ଆଗକୁ ନିଆଯିବ। ଯୁବତୀଙ୍କ ପରିଚୟ ଖୋଜିବା ପାଇଁ ଆଖପାଖ ଗାଁଗୁଡ଼ିକୁ ସୂଚନା ଦିଆଯାଇଛି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ