ମୁମ୍ବାଇ: ପ୍ରେମ ହେଲେ ମନରେ ନିଆଁ ଲାଗେ, ଏହି ଭାବନାକୁ ନେଇ ଅନେକ ପ୍ରେମିକ କବି ହୋଇ ପ୍ରେମିକା ପାଇଁ କବିତା ଲେଖିବା ଘଟଣା ଏବେ ପୁରୁଣା ହେବାରେ ଲାଗିଲାଣି । ଏବେ ପ୍ରେମରେ ବିଫଳ, ହତାଶ ହେଲେ ମନରେ ନୁହେଁ ପ୍ରେମିକା ଦେହରେ ନିଆଁ ଲଗାଇ ଜୀବନ୍ତ ଜାଳି ଦିଏ ନୃଶଂସ ପ୍ରେମିକ । ଏମିତି ଏକ ଘଟଣା ସ୍ତବ୍ଧ କରିଦେଇଛି । ପୂର୍ବତନ ପ୍ରେମିକ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଛି ଯୁବତୀଙ୍କୁ । ଗୁରୁତର ଅବସ୍ଥାରେ ଯୁବତୀ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ମୁମ୍ବାଇର ୱର୍ଦ୍ଧାର ନାନ୍ଦୋରି ଚୌକର ହିଙ୍ଗାନଘଟରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା ।
ସୂଚନା ଅନୁସାରେ ଅଙ୍କିତା ପିସୁଡେ ଏକ ବେସରକାରୀ ସ୍କୁଲରେ ପାଠ ପଢାଉଥିଲେ । ସ୍କୁଲକୁ ଆସିବା ସମୟରେ ପୂର୍ବ ଯୋଜନା ମୁତାବକ ଭଲ ପାଉଥିବା ଯୁବକ ପେଟ୍ରୋଲ ଢାଳି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିଲା । ନିଆଁ ଲାଗିବା ଫଳରେ ଯୁବତୀଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ଗୁରୁତର ଭାବରେ ପୋଡି ଯାଇଛି । ଯୁବତୀ ଜଣଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିକାଶକୁ ଗିରଫ କରିଛି ।
ଅଭିଯୁକ୍ତ ଭିକେଶ ବିବାହିତ ବୋଲି ଜଣାପଡିଛି । ଯୁବତୀ ଜଣଙ୍କ ସହ ତାର ପ୍ରେମ ସମ୍ପର୍କ ରହିଥିବା କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ