ପାଟନା: ବିହାରରେ ପ୍ରବଳ ବର୍ଷା ସହ ଭୟଙ୍କର ବନ୍ୟା ଆସିଛି । ଏହି ପ୍ରଳୟଙ୍କାରୀ ବନ୍ୟାରେ କାହାର ଘର ଭାଙ୍ଗି ଯାଇଛି ତ କାହାର ବେଉସା ଭାସି ଯାଇଛି । ତେବେ ଏହି ସବୁ ଭିତରେ ଏକ ଫଟୋ ଏବେ ସାରାଦେଶକୁ ବିଚଳିତ କରୁଛି । ପୂର୍ବାତ୍ତୋର ଓ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଆସିଥିବା ବନ୍ୟାରେ ଏହି ରାଜ୍ୟର ଲୋକଙ୍କ ସହ ସାରା ଦେଶ ରହିଛି ।
ବିହାରର ମୁଜାଫର ଜିଲ୍ଲାରେ ଥିବା ବାଗମତୀ ନଦୀ କୂଳରୁ ଏହି ଫଟୋଟି ନିଆଯାଇଛି । ଯେଉଁ ଫଟୋରେ ଏକ ତିନିମାସର ଶିଶୁର ମୃତଦେହ ପଡିଛି । ହେଲେ ଗୋଟିଏ ନିଷ୍ପାପ ଶିଶୁର ଏଭଳି ମୃତ୍ୟୁକୁ ସଭ୍ୟ ସମାଜ ଗ୍ରହଣ କରିବା ସ୍ଥିତିରେ ନାହିଁ ।
ସୂଚନା ମୁତାବକ ମୁଜାଫର ଜିଲ୍ଲା ଶୀତଳପଟୀ ନିବାସୀ ରୀନା ଦେବି ଓ ତାଙ୍କର 4 ଶିଶୁ ବାଗମତୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ମା ରୀନା ଦେବି ନଦୀ କୂଳରେ କପଡା ସଫା କରୁଥିବା ସମୟରେ ତାଙ୍କର ଗୋଟିଏ ଶିଶୁ ନଦୀର ପ୍ରଖର ପାଣିରେ ଭାସି ଯାଇଥିଲା ।
ଏହାଦେଖି ରୀନା ଦେବୀଙ୍କ ସହ ତାଙ୍କର ଆଉ ତିନି ଜଣ ଶିଶୁ ମଧ୍ୟ ନଦୀକୁ ଡେଇଁପଡି ଶିଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କରି ଏମାନେ ମଧ୍ୟ ଭାସି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଯାଇ ମା ଏବଂ ତାଙ୍କ ଝିଅ ରାଧାକୁ ଉଦ୍ଧାର କରିଥିଲେ ।
ମାତ୍ର ର୍ଦୁଭାଗ୍ୟବଶତଃ ବାକି ତିନି ଜଣ ଶିଶୁ ଅର୍ଜୁନ, ରାଜା ଏବଂ ଜ୍ୟୋତିଙ୍କୁ ବଞ୍ଚାଇ ପାରିନଥିଲେ । ତେବେ ଯେଉଁ ଫଟୋଟି ଏବେ ସାମନାକୁ ଆସିଛି, ତାହା ତିନିମାସର ଶିଶୁ ପୁତ୍ର ଅର୍ଜୁନର ବୋଲି ଜଣାପଡିଛି । ହେଲେ ଦୁନିଆକୁ ବୁଝିବା ପୂର୍ବରୁ ନିଷ୍ପାପ ଅର୍ଜୁନ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁବରଣ କରିବା ପୁଣିଥରେ ଯୁଦ୍ଧଗ୍ରସ୍ତ ସିରିୟାର ସେହି ଲୋମଟାଙ୍କୁରା ଘଟଣାକୁ ମନେ ପକାଇଦେଇଛି । ଯାହା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।