ଚେନ୍ନାଇ: ଚୀନରେ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦେଶରେ କୋରୋନା ଭାଇରସର 6ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 5ଟି କେରଳର ଥିବାବେଳେ ଗୋଟିଏ ତାମିଲନାଡୁର ରହିଛି । ଏଥି ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 40କୁ ପହଞ୍ଚିଛି ।
ତାମିଲନାଡୁର ବ୍ୟକ୍ତିଙ୍କଠାରେ କୋରୋନା ପଜିଟିଭ୍ ଥିବା ରବିବାର ରାଜ୍ୟର ସ୍ବାସ୍ଥ୍ୟ ସଚିବ ବିଲା ରାଜେଶ ସୂଚନା ଦେଇଛନ୍ତି । ତାଙ୍କୁ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖାଯାଇଥିବାବେଳେ ତାଙ୍କ ବିଦେଶ ଯାତ୍ରାର କୌଣସି ପୂର୍ବ ସୂଚନା ମିଳିପାରିନଥିବା ରାଜେଶ କହିଛନ୍ତି । ଏହା ସହିତ ରାଜ୍ୟରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଥିବା ସେ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଶନିବାର ୩ ଜଣଙ୍କଠାରେ କୋରୋନା ପଜିଟିଭ୍ ଜଣାପଡିଥିଲା । ୩ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣ ଲଦାଖର ହୋଇଥିବାବେଳେ ଓ ଜଣେ ତାମିଲନାଡୁର ବ୍ୟକ୍ତି । ଲଦାଖର ବ୍ୟକ୍ତି ପୂର୍ବରୁ ଇରାନ ଯାଇଥିଲେ । ସେହିପରି ତାମିଲନାଡୁର ସଂକ୍ରମିତ ବ୍ୟକ୍ତିଜଣକ କିଛିଦିନ ତଳେ ଓମାନ ଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ