ଡିଜିଟାଲ ଏଣ୍ଟରଟେନମେଣ୍ଟ, ବିଜ୍ଞାନ ଓ କାରିଗରୀ କୌଶଳ କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ଏବେ ଆଣିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଆଣିଛି ଏକ ବୈପ୍ଲବିକ ପରିବର୍ତ୍ତନ। ଯାହା ଘରକୁ ଘରକୁ ଯୋଡିବା ସହିତ ପ୍ରତିଚି ଲୋକଙ୍କ ସମ୍ପର୍କର ସେତୁ ହୋଇ ପାରିଛି । ଆଜିର ଦୁନିଆରେ ଇଣ୍ଟରନେଟ ଏକ ଜରୁରୀ ମାଧ୍ୟମରେ ପରିଣତ ହୋଇଛି। ‘ଡିଜିଟାଲ ଇଣ୍ଡିଆ’, ଯାହାର ଲକ୍ଷ୍ୟ ସମସ୍ତଙ୍କ ପାଖରେ ଇଣ୍ଚରନେଟ ପହଞ୍ଚାଇବା, ହୁଏତ କିଛି ବର୍ଷ ପାଇଁ କଚ୍ଛପ ଗତିରେ ଆଗକୁ ବଢିଥିଲା ।
କିନ୍ତୁ ଏବେ ଏହାର ଆବଶ୍ୟକତା ଏବଂ ଡିଜିଟାଲ ହେବାର ସ୍ବପ୍ନ ଏତେ ହୋଇଛି ଯେ ଏହା ଆମ ପାଇଁ ଅନେକ ସୁଯୋଗ ଆଣି ଦେଇଛି । ପ୍ରତ୍ୟେକ ଭାରତୀୟଙ୍କ ଘରେ ସେମାନଙ୍କ ମାତୃଭାଷାରେ ତଥ୍ୟ ପହଞ୍ଚାଇବା ଏବଂ ଦେଶବ୍ୟାପୀ ଡିଜିଟାଇଜେସନକୁ ଏକ ନୂଆ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆଗାମୀ ପାଞ୍ଚରୁ ସାତ ବର୍ଷ ମଧ୍ୟରେ 75 ହଜାର କୋଟି ଟଂକାର ପୁଞ୍ଜି ବିନିଯୋଗ କରିବାକୁ ଗୁଗୁଲ କମ୍ପାନୀ ସିଇଓ ସୁନ୍ଦର ପିଚାଇ ନିକଟରେ କରିଥିବା ଘୋଷଣା ଏ ଦିଗରେ ଏକ ବଡ଼ ଘଟଣା । ଏବର୍ଷ ଶେଷ ସୁଦ୍ଧା 10 ଲକ୍ଷ ଶିକ୍ଷକ, ଅଧ୍ୟାପକଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ ଗୁଗୁଲ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ସହିତ ଏକ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର କରିଛି । ଫେସବୁକ୍ ରିଲାଏନସ ଜିଓରେ ପ୍ରାୟ 42 ହଜାର କୋଟି ଟଂକା ବିନିଯୋଗ କରିବାକୁ ନିଷ୍ପତ୍ତି ନେବା ପରେ, ଏବେ ଗୁଗୁଲ୍ ମଧ୍ୟ 30 ହଜାର କୋଟି ଟଂକା ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି ।
ଭାରତର ବଡ଼ ବଡ଼ କମ୍ପାନୀ ଏବଂ ଷ୍ଟାର୍ଟ-ଅପରେ ଇକ୍ଟିଟି ବିନିଯୋଗ ଏବଂ ସହଭାଗିତା ଦିଗରେ ଗୁଗୁଲ ଓ ଫେସବୁକ୍ ଭଳି ବଡ଼ ବଡ଼ ସଂସ୍ଥାର ଆଗ୍ରହ ଦୃଷ୍ଟିରୁ କୋରୋନା ମହାମାରୀ ନେଇ ଯେଉଁ ନିରାଶା ଏବଂ ହତାଶା ଦେଖା ଦେଇଥିଲା, ତାହା ଅନେକାଂଶରେ ଦୂର ହୋଇଛି । ଆଜି ଅନଲାଇନ ଗଭର୍ଣ୍ଣାନ୍ସ, ପାଠପଢା, ବ୍ୟାବୟାୟିକ କାରବାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଆମକୁ ଦେଖିବାର ଆବଶ୍ୟକତା ରହିଛି ଗୁଗୁଲ ନେଉଥିବା ବିଭିନ୍ନ ପଦକ୍ଷେପ ଆମର ‘ଡିଜିଟାଲ ଇଣ୍ଡିଆ’ ଧାରାକୁ କେତେ ଦୂର ତ୍ବରାନ୍ବିତ କରୁଛି । କେତେ ଶୀଘ୍ର ଦେଶର ପ୍ରତିଟି ଘରେ କିପରି ଇଣ୍ଚରନେଟ ସେବା ପହଞ୍ଚି ପାରୁଛି ।
ୱାଶିଂଟନ ଏବଂ ବେଜିଂ ମଧ୍ୟରେ ଉତ୍ତେଜନା ବୃଦ୍ଧି କାରଣରୁ ଚୀନରେ ବ୍ୟବସାୟ କରିବା ନେଇ ଗୁଗୁଲ୍, ଫେସବୁକ୍, ନେଟଫ୍ଲିକ୍ସ ଏବଂ ଟୁଇଟର ଭଳି କମ୍ପାନୀ ଉପରେ କଟକଣା ଲଗାଯାଇଛି । ଏହାଦ୍ବାରା ପ୍ରକୃତରେ ସେମାନଙ୍କର ନଜର ଏବେ ଭାରତ ଉପରେ ରହିଛି । କାରଣ ଚୀନ ପରେ ଭାରତରେ ସର୍ବାଧିକ 56 କୋଟି ଇଣ୍ଚରନେଟ ବ୍ୟବହାରକାରୀ ଅଛନ୍ତି । ଏହି ସଂଖ୍ୟା ଭାରତର ଜନସଂଖ୍ୟାର ଅଧା । ସୁତରାଂ ସେସବୁ କମ୍ପାନି ପାଇଁ ଭାରତରେ ବ୍ୟବସାୟ ବଢାଇବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ।
ଗଲୱାନ ଭ୍ୟାଲି ସଂଘର୍ଷ ଓ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ଟିକ୍ ଟକ୍ ସମେତ 59ଟି ଚାଇନିଜ ଆପକୁ ବ୍ୟାନ୍ କରିଛି । ଏହା କେବଳ ଗୁଗୁଲ ଓ ଅନ୍ୟ କମ୍ପାନୀର ବ୍ୟାବସାୟିକ କାରବାର ବଢାଇବାରେ ସେମାନଙ୍କୁ ସହାୟକ ହେବ ତା ନୁହେଁ, ଏହା ଦେଶକୁ ଡିଜିଟାଇଜେସନ କରିବା ବାଟରେ ମଧ୍ୟ ବେଶ୍ ଉପଯୋଗୀ ହେବ। ଆମେରିକା, କାନାଡା ଏବଂ ସିଙ୍ଗାପୁରରେ ନିଜ ନିଜ କମ୍ପାନି ଜରିଆରେ 1 ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରୁଥିବା ସତ୍ୟ ନାଦେଲା, ଅରବିନ୍ଦ କ୍ରିଷ୍ଣା ଏବଂ ଲକ୍ଷ୍ମୀ ମିତ୍ତଲଙ୍କ ଭଳି ଶିଳ୍ପପତି ମଧ୍ୟ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହୀ ଅଛନ୍ତି । ଏହା ଭାରତର ଅର୍ଥନୈତିକ ବିକାଶକୁ ଏକ ବଡ଼ ସମର୍ଥନ ଭଳି ହେବ ।
ଫେସବୁକ ଏବଂ ଗୁଗୁଲ ଭଳି ବଡ଼ ବଡ଼ କମ୍ପାନୀ ଯେତେବେଳେ ବଡ଼ ବଡ଼ ଯୋଜନା ନେଇ ଆସୁଛନ୍ତି, ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଡାଟା ପ୍ରାଇଭେସି ଏଣ୍ଡ ବ୍ୟବହାରୀଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ପ୍ରତି ଧ୍ୟାନ ଦେବା ଉଚିତ୍ । ଅନେକ ବିଶେଷଜ୍ଞଙ୍କ ମତ ହେଉଛି, ଦୁଇ ଦଶନ୍ଧି ପୂର୍ବେ ସଂସଦରେ ଅନୁମୋଦିତ ସୂଚନା ଓ ପ୍ରଯୁକ୍ତିିବିଦ୍ୟା ଆଇନ ଏବଂ 2008ରେ ହୋଇଥିବା ଏହାର ସଂଶୋଧନ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ବିଫଳ ହୋଇଛି । ଯୁଗ୍ମ ସଂସଦୀୟ କମିଟି ବ୍ୟକ୍ତିଗତ ସୂଚନା ସୁରକ୍ଷା ବିଲର ଏକ ମଡେଲ ପ୍ରସ୍ତୁତ କରିଛନ୍ତି ଯାହାକି ୟୁରୋପୀୟ ସଂଘର ଜେନେରାଲା ଡାଟା ପ୍ରୋଟେକ୍ସନ ରେଗୁଲେସନ ଢାଞ୍ଚାରେ ହୋଇଛି । ପରିବର୍ତ୍ତିତ ପରିସ୍ଥିତିରେ ଯଦି ଏକ କଡା ଆଇନ ପାସ୍ ହୋଇ ସଫଳତାର ସହିତ ଲାଗୁ କରାଯାଇପାରିବ ଏବଂ ଇଣ୍ଟରନେଟ ସର୍ଭିସେସକୁ ମୌଳିକ ଅଧିକାରଭୁକ୍ତ କରାଯାଇ ଏହାର ଗୋପନୀୟତାକୁ ସୁରକ୍ଷିତ କରାଯାଇ ପାରିବ ତେବେ ହିଁ ଭାରତବାସୀଙ୍କ ସ୍ବପ୍ନ ସାକାର ହୋଇ ପାରିବ ।