ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ନାସିକ ରାଜପଥରେ ପ୍ରାୟ 5 ଘଣ୍ଟା ଧରି ଅଟକି ରହିଛି ଏକ ଟ୍ରକ । 40 ଡିଗ୍ରୀ ଧୁଧୁ ଖରାରେ ଏହି ଟ୍ରକ ରାସ୍ତା ମଝିରେ ଅଟକି ରହିଛି । ଟ୍ରକରେ ପ୍ରାୟ 57 ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି । ଏମାନେ ମୁମ୍ବାଇରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଛନ୍ତି । ଲକଡାଉନ୍ ଦ୍ୱାରା କୌଣସି ପ୍ରକାରେ ଘରେ ପହଞ୍ଚିବାକୁ ଆଗ୍ରହୀ ଥିବା ଏହି ପ୍ରବାସୀ ଶ୍ରମିକ ଶେଷରେ ଏହି ଟ୍ରକର ସାହାରା ନେଇଛନ୍ତି ।
ଟ୍ରକ ଡ୍ରାଇଭର ପ୍ରତ୍ୟେକଙ୍କ ଠାରୁ ଭଡା ବାବଦକୁ 3000 ଟଙ୍କା ନେଇଛନ୍ତି। ଏହାପରେ ବି ଡ୍ରାଇଭର ଅଧିକ ଯାତ୍ରୀଙ୍କୁ ଅପେକ୍ଷା କରିଛି । 57 ଜଣଙ୍କ ପରେ ଗାଡିରେ କୌଣସି ଜାଗା ନାହିଁ । ସେମାନଙ୍କ ଭିତରୁ କିଛି ଲୋକ ଠିଆ ହୋଇଛନ୍ତି । ଜଣେ ବୃଦ୍ଧଙ୍କ କହିବା ଅନୁସାରେ, ଡ୍ରାଇଭର ଯ।ତ୍ରା କରିବାକୁ ଚାହାନ୍ତି , କିନ୍ତୁ ଟ୍ରକ ମାଲିକ ତାଙ୍କୁ ଅଧିକ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହୁଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ ଡ୍ରାଇଭରଙ୍କୁ ଯାତ୍ରା ଆରମ୍ଭ କରିବାକୁ କହିଲେ ସେ ଟ୍ରକକୁ ଓଲଟାଇ ଦେବାକୁ ଧମକ ଦେଇଛି । ଡ୍ରାଇଭର କିନ୍ତୁ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ପ୍ରବାସୀ ଶ୍ରମିକମାନେ ଯେକୌଣସି ଭାବରେ ମୁମ୍ବାଇ ଛାଡି ଯିବାକୁ ଚାହାଁନ୍ତି । ମଙ୍ଗଳବାର ଶତାଧିକ ପ୍ରବାସୀ ଶ୍ରମିକ ଥାନେରୁ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଥିଲା ।
ଚାଲି ଚାଲି ଘରକୁ ଯାଉଥିବା ନିର୍ମାଣ ଶ୍ରମିକ ଆସିଫ ପାଟୱାରୀ କହିଛନ୍ତି, "ମୁଁ ଆଲିବାଗରୁ ଆସୁଛି ଏବଂ ଉତ୍ତରପ୍ରଦେଶର ଆହ୍ଲାବାଦରେ ପହଞ୍ଚିବାକୁ ଚାହୁଁଛି । ମୁଁ ମୁମ୍ବାଇକୁ ଆଉ ଫେରିବି ନାହିଁ । ମୋ ପାଖରେ ଟଙ୍କାଟିଏ ନାହିଁ ଘରଦ୍ବାର କିଛି ନାହିଁ । ଭାରତ ସମ୍ପୂର୍ଣ୍ଣ ଲକଡାଉନ ହେବା ପରେ ପ୍ରବାସୀ ଶ୍ରମିକ କୌଣସି ଗାଡି ପାଇଲେ ଘରକୁ ପଳାଉଛନ୍ତି ।