କୋଚି: 69 ବ୍ୟାଚରେ ମୋଟ 48 ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମଙ୍ଗଳବାର କୋଚିସ୍ଥିତ ଇଣ୍ଡିଆନ୍ କୋଷ୍ଟ ଗାର୍ଡ ତାଲିମ ସେଣ୍ଟରରୁ ସଫଳତା ପୂର୍ବକ ପାସ କରିଛନ୍ତି । ସିଜି ଲ୍ ଆଣ୍ଡ ଅପରେସନ କୋର୍ସରେ ସଫଳତା ପୂର୍ବକ ସମାପନ କରିଛନ୍ତି 48 ଯୁବ ଅଫିସର ।
ଏହି ଅବସରରେ କୋଚିରେ ପାସିଂ ଆଉଟ ପରେଡ(ପିଓପି)ର ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ କୋଷ୍ଟ ଗାର୍ଡର ଜିଲ୍ଲା ମୁଖ୍ୟାଳୟର ନମ୍ବର-4ରେ ଏହାର ଆୟୋଜନ କରାଯାଇଥିଲା । ଏହାର ସମୀକ୍ଷା କମାଣ୍ଡର କୋଷ୍ଟ ଗାର୍ଡ (ପଶ୍ଚିମ କ୍ଷେତ୍ରର) ମହାନୀରିକ୍ଷକ ଏପି ବାଡୋଲା କରିଥିଲେ । ଔପଚାରିକ ସମୀକ୍ଷା ପରେ ମୁଖ୍ୟ ଅତିଥି ମେଧାବୀ ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପ୍ରଦୀପ ସିଂହ ଖରୟାତ ପାସିଂ ଆଉଟ ବ୍ୟାଚରେ ସର୍ବାଧିକ ମାର୍କ ରଖି ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ । ସେହପରି ପୂର୍ବ ବ୍ୟାଚ(68 ବ୍ୟାଚ)କୁ ପ୍ରତିଷ୍ଠିତ ‘ଡାଇରେକ୍ଟର-ଜେନେରାଲ ସୋର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା ।
10 ସପ୍ତାହର ଏହି ସିଜି ଲ୍ ଆଣ୍ଡ ଅପରେସନ କୋର୍ସରେ ସମୁଦ୍ରି ଆଇନକାନୁନ, ସନ୍ଧାନ ଓ ଉଦ୍ଧାର, ବୋର୍ଡିଂ, ମତ୍ସ୍ୟଜୀବୀଙ୍କ ଉପରେ ତୀକ୍ଷ୍ଣ ନଜର, ଆନ୍ତର୍ଜାତୀୟ ସମୁଦ୍ର ନିୟନ୍ତ୍ରଣ ରେଖା ଉପରେ ନଜର, ସମୁଦ୍ର ପ୍ରଦୂଷଣ ଓ ସମୁଦ୍ର ଲୁଟେରାଙ୍କ ମୁକାବିଲା ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ