ଜୟପୁର: କୋରୋନା ମହାମାରୀର ସ୍ଥିତି ଦେଶରେ ଉଦବେଗଜନକ ହେବାରେ ଲାଗିଛି । ଗୋଟିଏ ଦିନରେ ଏବେ ଦେଶରେ ସଂକ୍ରମଣ 35 ହଜାରରୁ ଉର୍ଦ୍ଧ୍ବ କେସ ସାମ୍ନାକୁ ଆସୁଛି ।
ତେବେ କୋରୋନା କବଳରୁ ମୁକ୍ତ ହୋଇଥିବା ଜଣେ ମହିଳାଙ୍କୁ ପୁଣି କୋରୋନା ଭୁତାଣୁ କବଳିତ କରିଛି । ପ୍ରଥମଥର ଏଭଳି ମାମଲା ରାଜସ୍ଥାନର କୋଟା ଜିଲ୍ଲାରୁ ଆସିଛି । ଯାହାକୁ ନେଇ ଏବେ ଡାକ୍ତର ବି ଆଶ୍ଚର୍ଯ୍ୟ ।
ଉକ୍ତ ମହିଳା ଜଣକ ହେଲେ କୋଟା ଜିଲ୍ଲାରେ ଥିବା ସୁବାଷ ନଗର ଅଞ୍ଚଳର 43 ବର୍ଷୀୟା ମହିଳା । ସେ ଥରେ କୋରାନାକୁ ମାତ୍ ଦେବା ପରେ ମଧ୍ୟ ପୁଣିଥରେ ତାଙ୍କ ରିପୋର୍ଟ କୋରୋନା ପଜେଟିଭ ଆସିଛି । ତେବେ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମଧ୍ୟ ଦ୍ବିତୀୟଥର ପାଇଁ ତାଙ୍କ ରିପୋର୍ଟ ପଜେଟିଭ ଆସିବା ଏହା ହୁଏତ ଦେଶର ପ୍ରଥମ ଘଟଣା ବୋଲି ଡାକ୍ତର କହିଛନ୍ତି ।
ସୂଚନା ଅନୁସାରେ, ତିନିମାସ ପୂର୍ବରୁ 43 ବର୍ଷୀୟ ମହିଳା ଜଣକ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । 10-15ଦିନ ଧରି କୋଭିଡ ହସ୍ପିଟାଲରେ ରହି ଚିକିତ୍ସା ହେବା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ମାତ୍ର ଏବେ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗାଡିବାରୁ ତାଙ୍କୁ ପୁଣିଥରେ କୋରୋନା ସମ୍ବନ୍ଧୀୟ ଟେଷ୍ଟ କରିବାରୁ ଗତକାଲି(ଶନିବାର)ତାଙ୍କ ରିପୋର୍ଟ ପଜେଟିଭ ଆସିଛି ।
ତେବେ ଏହାକୁ ନେଇ ବିଶେଷଜ୍ଞଙ୍କ ମତ ନିଆଯାଉଛି । ତେବେ ତାଙ୍କ ମତରେ ଯଦି ଥରେ ଆକ୍ରାନ୍ତଙ୍କ ଶରୀରରେ ଆଣ୍ଟିବଡି ଡେଭଲପ ହେବା ପରେ ପୁଣିଥରେ ସେହି ଭାଇରସ ଦ୍ବାରା ସଂକ୍ରମିତ ହେବା ଆଶଙ୍କା ବହୁତ କମ୍ । ପ୍ଲାଜମା ଥେରାପି ମଧ୍ୟ ଏଥିପାଇଁ ବିକଶିତ କରାଯାଇଛି ଯେ, ସୁସ୍ଥ ହୋଇଥିବା ବ୍ୟକ୍ତିର ପ୍ଲାଜମା ସଂକ୍ରମିତ ବ୍ୟକ୍ତିଙ୍କୁ ଦେବା ଦ୍ବାରା ଏହା ଉପଚାରରେ ସହାୟତା କରିବ ।