ନୂଆଦିଲ୍ଲୀ: ଟଳିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ । ପରବର୍ତ୍ତି ନିଷ୍ପତ୍ତି ଆସିବା ଯାଏଁ ଶନିବାର ହେବାକୁ ଥିବା ଫାଶି ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଦୋଷୀ ବିନୟର ଦୟା ଯାଚିକାର ନିଷ୍ପତ୍ତି ଆସି ନଥିବା କାରଣରୁ ଫାଶି ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ । ଧାରା 836 ଅନୁଯାୟୀ ଏହି ଫାଶୀ ତାରିଖ ଘୁଞ୍ଚାଯାଇଛି । ଏହି ନିୟମ ଅନୁସାରେ ଦୟା ଯାଚିକାର ନିଷ୍ପତ୍ତି ନ ଆସିବା ଯାଏଁ ଦୋଷୀଙ୍କୁ ଫାଶୀ ହୋଇପାରିବ ନାହିଁ । ନିର୍ଭୟା ମାମଲାରେ ଦ୍ବିତୀୟ ଥର ପାଇଁ ଦୋଷୀଙ୍କ ଫାଶୀ ଉପରେ ରହିତାଦେଶ ଲାଗିଛି ।
କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭୟାଙ୍କ ମାଆ ନିଜର ପ୍ରତିକ୍ରିୟା ରଖିଛନ୍ତି । କେବେ ବି ଫାଶୀ ହେବ ନାହିଁ ବୋଲି ଦୋଷୀଙ୍କ ଓକିଲ ଏପି ସିଂହ ଚ୍ୟାଲେଞ୍ଜ କରିଥିବା କହିଛନ୍ତି ନିର୍ଭୟା ମାଆ । ନିର୍ଭୟା ମାଆ ପୁଣି କହିଛନ୍ତି, ମୁଁ ମୋ ଲଢେଇ ଜାରି ରଖିବି । ସରକାର ଦୋଷୀଙ୍କୁ ଫାଶୀ ଦେବେ।
ନିର୍ଭୟା ଘଟଣାର ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ସମସ୍ତ ପ୍ରକାର ଆଇନଗତ ବିକଳ୍ପର ସାହାରା ନେଉଛନ୍ତି । ଗୁରୁବାର ଦୋଷୀ ବିନୟର ଫାଶୀ ଉପରେ ରୋକ ଲଗାଇବା ପାଇଁ ଆବେଦନ କରାଯାଇଥିଲା । ପଟିଆଲା ହାଉସ କୋର୍ଟରେ ବିନୟ ପକ୍ଷରୁ ଯାଚିକା ଦାଖଲ କରାଯାଇ ଦୟାଯାଚିକା ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନ ଆସିଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇବା ପାଇଁ ଅପିଲ କରାଯାଇଥିଲା ।