ଶ୍ରୀନଗର: ମାଟି ଅତଡା ଖସି 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4 ନିଖୋଜ ହୋଇଛନ୍ତି । ଘଟଣାରେ 9 ଜଣଙ୍କୁ ଉଦ୍ଧାର କରାଯାଇଛି । ରବିବାର ରାମବାନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏଭଳି ଏକ ଦୁର୍ଘଟଣା ଘଟିଛି ।
ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ରାମବାନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ସେରି ସେକ୍ଟର ରାସ୍ତାରେ ମାଟି ଅତଡା ଖସିଥିଲା । ଅତଡା ସଫା କରୁଥିବା ମେସିନ ସହ ଏକ ଟ୍ରକ ଓ କାର୍ଯ୍ୟରତ ସମସ୍ତ ଚାଳକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତଦେହ ସହ ଅନ୍ୟ 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ମାଟି ଅତଡା ତଳେ 9ଟି ଗାଡି ପୋତି ହୋଇଯାଇଥିଲା ।
ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର ହୋଇଥିବା 4 ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ 300 କିଲୋମିଟର ଲମ୍ବା ରାଜପଥର 40 କିଲୋମିଟରରୁ ଅଧିକ ରାମବାନ-ରାମସୋ ଷ୍ଟ୍ରେଚ ମାଟି ଅତଡା ଖସିବା ଏବଂ ଗୁଳି ବିନିମୟ ପାଇଁ କୁଖ୍ୟାତ ହୋଇଥିବା ବେଳେ ବର୍ଷା ହେତୁ ଏହି ରାସ୍ତାରେ ଦୁର୍ଘଟଣା ଘଟିଥାଏ । ସମସ୍ତ ଜରୁରୀ ଜିନିଷ ଏହି ରାଜପଥ ଦେଇ ଯୋଗାଣ ହେଉଥିବାରୁ ଏହି ରାଜପଥ କାଶ୍ମୀର ଲାଇଫ ଲାଇନ ଭାବେ ବି ଜଣାଶୁଣା ।
@IANS