ମୁମ୍ବାଇ: ଦେଶବ୍ୟାପୀ କୋରୋନାର ପ୍ରକୋପ ଜାରି ରହିଛି । ମହାରାଷ୍ଟ୍ରରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶର ପ୍ରଥମ ରାଜ୍ୟ ଭାବେ 1000 ଆକ୍ରାନ୍ତ ପାର କରିବାର ନିକଟତର ହୋଇଛି ରାଜ୍ୟ ।
ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ଗୋଟିଏ ଦିନରେ ରାଜ୍ୟରେ 120 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କେବଳ ମୁମ୍ବାଇରେ 68ଟି କେସ ସାମନାକୁ ଆସିଛି । ସୋମବାର ସମସ୍ତଙ୍କ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 868 ଛୁଇଁଛି । ଆଗାମୀ 2 ଦିନ ଭିତରେ ଏହି ସଂଖ୍ୟା 1000 ପାର କରିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଉଛି ।
ସେହିପରି ସୋମବାର ଚିକିତ୍ସା ବେଳେ 7 ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ମୁମ୍ବାଇ, ନାଭି ମୁମ୍ବାଇ, ଥାଣେ ଓ ଭସାଇ ବାସିନ୍ଦା ବୋଲି ଜଣାପଡିଛି । କେବଳ ମୁମ୍ବାଇରେ ଏପର୍ଯ୍ୟନ୍ତ 526 ଆକ୍ରାନ୍ତ ବାହାରିଛନ୍ତି । ସେଥିମଧ୍ୟରୁ 34 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 52 ଛୁଇଁଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସରକାର ଲକଡାଉନକୁ କଡାକଡି କରିଛନ୍ତି ।
ସୌଜନ୍ୟ@ANI