ହାଇଦ୍ରାବାଦ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଦେଶରେ ଉଷ୍ମତା ବଢିବାରେ ଲାଗିଛି । ଏହାକୁ ଦେଶରେ ପ୍ରସାରିତ କରାଯିବା ଉପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରତିବନ୍ଧକ ଲଗାଇଥିଲା ବେଳେ ଆଜି ଏହାକୁ କେରଳର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଇଛି । କେରଳରେ SFI, DYFI ପରି ବାମପନ୍ଥୀ ବିଚାରଧାରାର ଏକାଧିକ ରାଜନୈତିକ ସଂଗଠନ ଏହାକୁ ପ୍ରଦର୍ଶିତ କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଏହାକୁ ସାମୁହିକ ଭାବେ ପ୍ରଦର୍ଶିତ କାରାଯିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମଧ୍ୟ ଏହି ଡକ୍ୟୁମେଣ୍ଟାରୀକୁ ଦେଖିଥିଲା । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜୋରଦାର ପ୍ରତିବାଦ ମଧ୍ୟ କରିଛି ।
ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଦସ୍ୟଙ୍କ ଦ୍ବାରା କେରଳର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । ପାଲକ୍କଡର ଭିକ୍ଟୋରିଆ କଲେଜ ଏବଂ ରାଜଧାନୀ ଥିରୁଅନ୍ତପୁରମ ଓ ଏର୍ଣ୍ଣାକୁଲମର ସରକାରୀ ଆଇନ କଲେଜ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଠାରେ ମଧ୍ୟ SFI ଦ୍ବାରା ଏହି ବିବାଦୀୟ ଡକ୍ଯୁମେଣ୍ଟାରୀକୁ ପ୍ରଦର୍ଶିତ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଆଗୁଆ ବ୍ୟବସ୍ଥା ଗ୍ରହଣ କରିଥିଲା ।
ତେବେ ଏକାଧିକ ସ୍ଥାନରେ ଏହାକୁ ପ୍ରଦର୍ଶିତ ତଥା ଅପର ପକ୍ଷ ଦ୍ବାରା ବିରୋଧ କରାଯାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ । କିଛି ଶିକ୍ଷାନୁଷ୍ଠାନରେ ବାମପନ୍ଥୀ ଛାତ୍ର ସଂଗଠନର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ନାରା ଦେଇଥିଲେ । କେରଳର ଶାସନରେ ଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଦଳ ସିପିଆଇ (ଏମ)ର ଯୁବମୋର୍ଚ୍ଚା DYFI ଏହାକୁ କେବଳ କେରଳରେ ନୁହେଁ ବରଂ ସାରା ଦେଶରେ ପ୍ରଦର୍ଶିତ କରାଯିବା ନେଇ ଘୋଷଣା କରିଛି । DYFI ରାଜ୍ୟ ସଚିବ ଭି.କେ ସାନୋଜ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଚାରୀରେ ଯାହା ଦର୍ଶାଯାଇଛି, ତାକୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି । ଏହାକୁ ଜନସଧାରଣଙ୍କ ନିକଟରେ ରଖିବାକୁ ହେବ ।
ଅନ୍ଯପଟେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ କେ.ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଏନେଇ ଅବଗତ କରିଛି । ଏପରି ଡକ୍ୟୁମେଣ୍ଚାରୀକୁ ରାଜ୍ୟରେ ପ୍ରସାରିତ କରିବାକୁ ଅନୁମତି ନଦେବା ସହ ପ୍ରଦର୍ଶିତ ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି । ସେହିପରି ରାଜ୍ୟ ବିଜେପି ସହ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ପ୍ରଦର୍ଶନ ଉପରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ।
ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ଦଙ୍ଗା ଘଟଣାରେ ଏକ ନୂଆ ସିରିଜ୍ ପ୍ରସ୍ତୁତ କରିଛି । ଯାହାର ଶୀର୍ଷକ ରହିଛି ଦି ମୋଦି କ୍ୟୋଶ୍ଚିନ (The Modi Question ) । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକାଧିକ ପ୍ରସଙ୍ଗରେ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଭାରତୀୟ ମୁସଲିମ ସମ୍ପ୍ରଦାୟ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ସଂସ୍ଥା ଦର୍ଶାଇବାକୁ ଚେଷ୍ଟା କରିଛି । ସେହିପରି 2002 ମସିହାରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ହୋଇଥିବା ଗୁଜୁରାଟ ଦଙ୍ଗାକୁ ମଧ୍ୟ ଏହି ସିରିଜରେ ସ୍ଥାନ ଦେଇଛି ବିବିସି । ଏଥିରେ ମୋଦିଙ୍କର ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କାରଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କଡା ଆପତ୍ତି ଉଠାଇ ଏହାକୁ ଏକ ପ୍ରୋପୋଗାଣ୍ଡା ଡକ୍ୟୁମେଣ୍ଟାରୀ ବୋଲି ଦର୍ଶାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ