ରାୟପୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବଜରଙ୍ଗକୁ ଦଳ ବ୍ୟାନ କରିବା ନେଇ ଇସ୍ତାହାରରେ ପ୍ରକାଶ କରିବା ପରେ ଏହାକୁ ନେଇ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ କଂଗ୍ରେସ ଶାସିତ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲଙ୍କ ବଡ ସଙ୍କେତ ସାମ୍ନାକୁ ଆସିଛି । ଆବଶ୍ୟକ ପଡିଲେ ଛତିଶଗଡରେ ମଧ୍ୟ ବଜରଙ୍ଗ ଦଳକୁ ବ୍ୟାନ କରିବା ଉପରେ ଚିନ୍ତା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି । ସିଧାସଳଖ କୌଣସି ଅଭିମୁଖ୍ୟ ସ୍ପଷ୍ଟ ନକରି ବଘେଲ କହିଛନ୍ତି, ଯଦି ସେପରି ସ୍ଥିତି ଆସେ ତେବେ, ଛତିଶଗଡରେ ମଧ୍ୟ ଏହାକୁ ନିଷେଧ କରିବା ନେଇ ଚିନ୍ତା କରାଯାଇପାରେ ।
କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ଶାସନରେ ଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବଜରଙ୍ଗ ଦଳକୁ ବଜରଙ୍ଗବାଲୀଙ୍କ ନାମରେ ନାମିତ ଏକ ଉପଦ୍ରବୀ ସଂଗଠନ ବୋଲି କହିଛନ୍ତି ।
ବଘେଲ କହିଛନ୍ତି, ‘‘କର୍ଣ୍ଣାଟକରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା କଥା କହିଛି, ବଜରଙ୍ଗବାଲୀଙ୍କୁ ନୁହେଁ । ବଜରଙ୍ଗବାଲୀ ହେଉଛନ୍ତି ଆମ ଭଗବାନ । ହେଲେ ପ୍ରଧାନମନ୍ତ୍ରୀ କହୁଛନ୍ତି ପ୍ରଭୁ ରାମ ଓ ବଜରଙ୍ଗବାଲୀଙ୍କୁ କଂଗ୍ରେସ ବନ୍ଦ କରିଦେଲା ବୋଲି ଅଭିଯୋଗ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଅଯୋଧ୍ୟାରେ ରାମ ମନ୍ଦିରରେ ତାଲା ଖୋଲିବାରେ କାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପ୍ରବଳ ମିଛ କହିପାରନ୍ତି, ତେଣୁ ଲୋକେ ତାଙ୍କ କଥାକୁ ଗୁରୁତ୍ବର ସହ ନେଉନାହାନ୍ତି । ଏହି ମାମଲାରେ ମଧ୍ୟ ସେ ମିଛ କହିଛନ୍ତି । ବଜରଙ୍ଗ ଦଳ ସେଠାର ଉପଦ୍ରବ କରିବା ପରି ସ୍ଥିତି ସୃଷ୍ଟି କରିଛି, ସେଥିପାଇଁ ତାକୁ ବ୍ୟାନ କରାଯିବା ଉପରେ କଂଗ୍ରେସ ନିଷ୍ପତ୍ତି ଗ୍ରହଣ କରିଛି ।’’
ପ୍ରଧାନମନ୍ତ୍ରୀ ମୋଦିଙ୍କ ସନ୍ଥ କବିର୍, ଗୁରୁ ନାନକ ଓ ଗୁରୁ ଗୋରଖନାଥଙ୍କ ଟିପ୍ପଣୀକୁ ମଧ୍ୟ ବଘେଲ ଟାର୍ଗେଟ କରିଥିଲେ । କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜସ୍ବ ଏକ ମନଗଢା କାହାଣୀ ସୃଷ୍ଟି କରିବାରେ ଦକ୍ଷ । ଏମାନେ ସମସ୍ତେ ଏକାସାଙ୍ଗରେ ବସୁଥିଲେ ଓ ସମାଜ ପାଇଁ ଚିନ୍ତା କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ହେଲେ ଏମାନେ ସମସ୍ତେ ଭିନ୍ନ ଭିନ୍ନ ଶତାବ୍ଦୀର । ସେହିପରି ଆଦାନୀ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ନୀରବତା ଧାରଣ କରିଛନ୍ତି । ଆଦାନୀ ସମୂହର କାହିଁକି ଷ୍ଟକକ୍ରାସ ହେଲା ଓ ହିଣ୍ଡନବର୍ଗ ପ୍ରକାଶ କରିଥିବା ରିପୋର୍ଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଗୋଟିଏ ଶବ୍ଦ କହିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ବଘେଲ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ