ହାଇଦ୍ରାବାଦ: ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ହତ୍ୟା । ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟିଛି ତେଲେଙ୍ଗାନାର ପେଡ୍ଡାପଲ୍ଲୀ ଅଞ୍ଚଳରେ । ମୃତକ ହେଲେ ତେଲେଙ୍ଗାନା ହାଇକୋର୍ଟରେ କାର୍ଯ୍ୟରତ ଓକିଲ ଦମ୍ପତି ବମାନା ରାଓ ଏବଂ ନାଗମଣି ରାଓ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି କରୁଛି ।
ସୂଚନାଯୋଗ୍ୟ, ଉକ୍ତ ଓକିଲ ଦମ୍ପତି ଏକ କାର ଯୋଗେ ଆସୁଥିବା ସମୟରେ କଲାଭଚାରା ହାଇଓ୍ବେ ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡିକୁ ଅଟକାଇଥିଲେ ଏବଂ ଛୁରୀରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ପେଡ୍ଡାପଲ୍ଲୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀ ଆଖି ବୁଜିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ