ଗୌହାଟୀ: ଆସାମରେ ଅଣାୟତ ବନ୍ୟା ପରିସ୍ଥିତି । ବନ୍ୟା ଜଳରେ ଉବୁଟୁବୁ ଆସାମ । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବାବେଳେ, ୨୪ ଘଣ୍ଟାରେ ପୁଣି ୫ଜଣ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁ ସଂଖ୍ୟା ୧୨୬କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ବାରପେଟା, କାଚର, ଡାରାଙ୍ଗ, କରିମଗଞ୍ଜ ଏବଂ ମୋରିଗାଓଁ ଜିଲ୍ଲାର ହୋଇଥିବା ଜଣାପଡିଛି । ବନ୍ୟା ଯୋଗୁଁ ବର୍ତ୍ତମାନ ୨୨ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ (ASDMA) ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ବନ୍ୟା ଯୋଗୁଁ ୭୪,୭୦୬ ହେକ୍ଟର ଜମି ପାଣିରେ ବୁଡି ରହିଥିବାରୁ ଫସଲ ପ୍ରଭାବିତ ହୋଇଛି । ବର୍ଷା କରିଥିବାବେଳେ, NDRF, SDRF, ଭାରତୀୟ ସେନା ଏବଂ ଅଗ୍ନିଶମ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେସୁଦ୍ଧା ସାରା ରାଜ୍ୟରେ ମୋଟ ୨,୧୨,୪୧୩ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ନିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୫୬୪ଟି କ୍ୟାମ୍ପ ତିଆରି କରାଯାଇଛି ।
ଗତକାଲି ବନ୍ୟା ପରିସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ବନ୍ୟା ବିପର୍ଯ୍ୟସ୍ତଙ୍କୁ ଚିକିତ୍ସା ସହ ଅନ୍ୟ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।