ଗୌହାଟୀ : ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ଡଙ୍ଗା ଦୁର୍ଘଟଣା । ଆଜିବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଓ ରାଜ୍ୟର ଉଦ୍ଧାରକାରୀ ଦଳ ଦ୍ବାରା ଜୋରଦାର ହେଉଛି ରେସକ୍ୟୁ ଅପରେସନ । ଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହାସହ ୩ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ଗୌହାଟୀର ହୋଇଥିବା ଜଣାପଡିଛି । ଏନେଇ ଏନଡିଆରଏଫ ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।
ନିମତି ଘାଟରେ 2 ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ବୁଧବାର ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ରାତି ତମାମ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ଏପରିକି ସକାଳ ୬ଟାରୁ ଉଦ୍ଧାର କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗାକୁ କଟାଯାଇଥିଲା । ଫଳରେ ସେଥିରୁ ଗୋଟିଏ କ୍ୟାରିବ୍ୟାଗ, ୨ଟି ପର୍ସ ଓ ୨ ଟି ହେଲମେଟ ମିଳିଥିଲା । ହେଲେ କୌଣସି ମୃତଦେହ ମିଳି ନଥିଲା । କିନ୍ତୁ ଏପର୍ଯ୍ୟନ୍ତ କେତେ ଜଣ ନିଖୋଜ ରହିଛନ୍ତି ତାହା ସ୍ପଷ୍ଟ ହୋଇନି । ୨ଟି ଡଙ୍ଗାରେ ୧୨୦ ଜଣ ଯାତ୍ରୀ ରହିଥିଲେ । ଏବେବି ଏକାଧିକ ନିଖୋଜ ରହିଛନ୍ତି ।
ସେପଟେ, ଡଙ୍ଗା ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀଙ୍କ କଥା ହୋଇଛନ୍ତି । ସମସ୍ତ ପ୍ରକାର ଆବଶ୍ୟକ ସହାୟତା କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଶାହା । ଏପଟେ, ଏନେଇ ଆସାମ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ଦିନ ଗୋଟିଏ ମୋଟର ବୋଟ ଯାତ୍ରୀଙ୍କୁ ନେଇ ମଞ୍ଜୁଲୀରୁ ନିମାତିଘାଟ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବୋଟ ନିମାତିଘାଟରୁ ଫେରୁଥିଲା । ଏହି ସମୟରେ ନଦୀ ମଝିରେ ଦୁଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଟ ଦୁଇଟି ବୁଡିଯାଇଥିଲା । ଉଭୟ ବୋଟରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୁଆଙ୍କୁ ମିଶାଇ ଶତାଧିକ ଯାତ୍ରୀ ଯାତ୍ରା କରୁଥିଲେ ।
@ANI