ଜୟପୁର: ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣିଥରେ ଜୋର ଧରିଲା । ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀ ଗସ୍ତ କରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ କେସି ବେଣୁଗୋପାଲଙ୍କୁ ଭେଟିଛନ୍ତି । ଏହା ବ୍ୟତୀତ ଗେହଲଟ ରାଜସ୍ଥାନର ଦାୟିତ୍ବରେ ଥିବା ପ୍ରଭାରୀ ଅଜୟ ମାକେନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଗେହଲଟଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କେ,ସି ବେଣୁଗୋପାଲଙ୍କୁ ଭେଟିଥିଲେ । ତେବେ ଆଜି ଗେହଲଟଙ୍କ ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନୁପସ୍ଥିତ ଥିଲେ ।
କୁହାଯାଉଛି ଯେ ଆସନ୍ତା ସପ୍ତାହରେ ଅଶୋକ ଗେହଲଟ ସରକାରର କ୍ୟାବିନେଟ୍ ସମ୍ପସାରଣ ହୋଇପାରେ । ଆଜି ପ୍ରିୟଙ୍କା ଗାନ୍ଧୀ ଏବଂ ବେଣୁ ଗୋପାଲଙ୍କ ସହ ହୋଇଥିବା ବୈଠକରେ ସମ୍ପ୍ରସାରିତ କ୍ୟାବିନେଟରେ ସମିଲ ହେବାକୁ ଥିବା ସାମ୍ଭାବ୍ୟ ଚେହେରାଙ୍କ ଉପରେ ଆଲୋଚନା ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି । ତେବେ ଏହି ସମ୍ପ୍ରସାରଣ ନଭେମ୍ବର 12 ତାରିଖରେ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ତେବେ ରାଜସ୍ଥାନରେ ଦେଖାଯାଇଥିବା ଦଳୀୟ କନ୍ଦଳ ଓ ଅସନ୍ତୁଷ୍ଟ ନେତା ଗେହଲୋଟ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛନ୍ତି । ତେଣୁ କ୍ୟାବିନେଟର ସମ୍ପ୍ରସାରଣ ଦ୍ବାରା ଦଳର କର୍ମୀ ଏବଂ ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବା ଦିଗରେ ଦଳୀୟ ହାଇକମାଣ୍ଡ ବିଚାର କରୁଥାଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ।
ଡିସେମ୍ବରରେ ଗେହଲଟ ସରକାର ୩ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଚଳିତ ଉପ-ନିର୍ବାଚନରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରିଛି । ତେବେ ମୁଖ୍ୟମନ୍ତ୍ରୀ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ତଥା ଦଳର ଯୁବ ଚେହେରା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀଯୁଦ୍ଧ ପ୍ରଶମିତ ହେବାର ନାଁ ନେଉନି । ତେବେ ଏପରି ସ୍ଥିତିରେ କ୍ୟାବିନେଟ ସମ୍ପ୍ରସାରଣ କେତେ ଫଳପ୍ରଦ ଦେଉଛି ତାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ