ଗାନ୍ଧୀନଗର: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ । ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ଗୁଜୁରାଟ ଗାନ୍ଧୀନଗର ସେସନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅହମ୍ମଦାବାଦର ମୋଟେରାରେ ଥିବା ନିଜ ଆଶ୍ରମରେ ସେ ସୁରଟର ଜଣେ ମହିଳାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଜି ଏହି ମାମଲାର ବିଚାର କରି କୋର୍ଟ ଏହି ଆତ୍ମଘୋଷିତ ଧର୍ମଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ଦଣ୍ଡ ବିଧାନ କରାଯିବ ।
ଆଶାରାମ ବାପୁ ଆଇପିସିର ଧାରା ୩୪୨, ୩୫୪A(ଯୌନ ନିର୍ଯାତନା), ୩୭୦(୪)( ଚୋରା ଚାଲାଣ), ୩୭୬(ଦୁଷ୍କର୍ମ), ୫୦୬(ଅପରାଧିକ ଧମକ) ଓ ୧୨୦(B) (ଅପରାଧିକ ଷଡଯନ୍ତ୍ର) ଦଫାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଆଶାରାମଙ୍କ ପୁଅ ନାରାୟଣ ସାଇ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ । ସେ ପୀଡିତାଙ୍କ ସାନ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସାଇଙ୍କ ସମେତ ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ୪ ଜଣ ମହିଳା ଅନୁଗାମୀ ନିର୍ମଳା, ଧ୍ରୁବବେନ, ଜସି, ଓ ମୀରା ମଧ୍ୟ ଅଭିଯୁକ୍ତ ରହିଥିଲେ । ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ପ୍ରକାଶଥାଉ କି, ଆଶାରାମ ବାପୁ ବର୍ତ୍ତମାନ ଯୋଧପୁରର ଏକ ଜେଲରେ ଅଛନ୍ତି । ୨୦୧୮ରେ ଯୋଧପୁରର ଟ୍ରାଏଲ କୋର୍ଟ ତାଙ୍କୁ ଅନ୍ୟ ଏକ ଯୌନ୍ୟ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଥିଲେ । ୨୦୧୩ ମସିହାରେ ଯୋଧପୁର ଆଶ୍ରମରେ ଜଣେ ୧୬ ବର୍ଷୀଙ୍କ ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ୨୦୧୩ ଅଗଷ୍ଟରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇ ସେହିବର୍ଷ ସେପ୍ଟେମ୍ବରରେ ଯୋଧପୁର ଅଣାଯାଇଥିଲା । ଏବେ ମୋଟେରା ଆଶ୍ରମରେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।