କୋଲକାତା: 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକାଠି ହୋଇଛି 26 ବିରୋଧୀ ଦଳଙ୍କ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ତେବେ ବିରୋଧୀ ମେଣ୍ଟର ନେତୃତ୍ବ କିଏ ନେବେ । କିଏ ମେଣ୍ଟ ଆବାହକ ହେବ ଓ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ସ୍ପଷ୍ଟ ହୋଇ ପାରିନାହିଁ । ତେବେ ବିରୋଧୀ ମେଣ୍ଟର ବର୍ତ୍ତମାନର ସମୀକରଣ ନେଇ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ପଡୋଶୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାରତୀୟ ରାଜନୀତିର ଘଟଣାକ୍ରମରେ ବେଶ ଉତ୍ସାହୀ ଥିବା ପରି ନଜର ଆସିଛନ୍ତି ।
ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ଏକମାତ୍ର ଫାଏର ବ୍ରାଣ୍ଡ ଲେଡି ମମତା ବାନାର୍ଜୀଙ୍କୁ ମେଣ୍ଟର ନେତୃତ୍ବ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ସେ ଜାଣିବାକୁ ଚାହିଁଛନ୍ତି, କ’ଣ ମମତା ହିଁ ଏହି ମେଣ୍ଟର ନେତୃତ୍ବ ନେବେ କି ? ତେବେ ଏହି ପ୍ରଶ୍ନର ଉତ୍ତରରେ ମମତା ଅତି ଚତୁରତା ଦେଖାଇଥିଲେ । ସିଧା ସଳଖ ତାଙ୍କ ନେତୃତ୍ବ ପ୍ରଶ୍ନକୁ ଏଡାଇ ଯାଇଥିଲେ । କହିଥିଲେ ଏହା ଲୋକେ ନିଷ୍ପତ୍ତି କରିବେ । ବିରୋଧୀ ମେଣ୍ଟ ଶାସନକୁ ଆସିବାକୁ ଯାଉଛି ।
ତେବେ ପୁରା ଘଟଣା କିଛି ଏପରି ଥିଲା । ଏକ ନିବେଶ କନକ୍ଲେଭରେ ଯୋଗଦେବା ପାଇଁ ସ୍ପେନ ବାହାରିଥିବା ମମତା, ଦୁବାଇ ବିମାନ ବନ୍ଦରରେ ପଡ଼ୋଶୀ ରାଷ୍ଟ୍ରପତି ରାନିଲ ବ୍ରିକମସିଙ୍ଘେକୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ସୌଜନ୍ୟମୂଳକ ବାର୍ତ୍ତାଳପ ହୋଇଥିଲା । ଏହି ସ୍ବଳ୍ପ ବାର୍ତ୍ତାଳାପରେ ଭାରତୀୟ ରାଜନୀତି, ବିଶେଷ କରି ବିଜେପି ବିରୋଧୀ ମେଣ୍ଟ ସମ୍ପର୍କରେ ଜାଣିବାକୁ ବିକ୍ରମସିଙ୍ଘେ ଅଧିକ ଉତ୍ସାହୀ ନଜର ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ :-INDIA Bloc: ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ
ମମତାଙ୍କୁ ଅତି କ୍ଷିଣ ସ୍ବରରେ ବିକ୍ରମସିଙ୍ଘେ ପଚାରିଥିଲେ, "କଣ ଆପଣ ହିଁ ମେଣ୍ଟର ନେତୃତ୍ବ ନେବେ ।" ତେବେ ଏହି ପ୍ରଶ୍ନରେ ସ୍ମିତହାସ୍ୟ କରି ମମତା କହିଥିଲେ, "ଓହଃ ମାଇ ଗଡ... ଲେକେ ଚାହିଁବେ ତ ବିରୋଧୀ ମେଣ୍ଟ ନିଶ୍ଚୟ ଶାସନକୁ ଆସିବ । କି’ଏ ଇଣ୍ଡିଆ ମେଣ୍ଟର ନେତା ହେବ ତାହା ମଧ୍ୟ ଲୋକେ ନିଷ୍ପତ୍ତି ନେବେ ।" ଏପରି ରାଜନୈତିକ ଭାରସାମ୍ୟ ମନ୍ତବ୍ୟ ଦେଇଥିଲେ ସୁଦ୍ଧା ମମତା ତାଙ୍କ ନାମରେ ନେତୃତ୍ବକୁ ହଁ କିମ୍ବା ନାଁ କହିନଥିଲେ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମମତା ଏହି ମେଣ୍ଟ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ବିଜେପି ବିରୋଧରେ ନିର୍ବାଚନ ଲଢ଼ି ବଙ୍ଗରେ ଆସନ ବଜାୟ ରଖିବା ପରେ ମମତା ମଧ୍ୟ ଏବେ ମୋଦି ବିରୋଧୀ ବଡ଼ ଚେହେରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ