ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତତଲା କଡ଼େଇରେ ସିଝୁଛି ଉତ୍ତର ଓ ମଧ୍ୟ ଭାରତ । ସ୍ବାଭାବିକ ଭାବେ ମେ’ ମାସରୁ ଗ୍ରୀଷ୍ମ ପ୍ରଖର ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଓଲଟା ସ୍ଥିତି । ଚଳିତ ଥର ଏପ୍ରିଲ ମାସରୁ ଉତ୍ତପ୍ତ ପାଲଟିଛି ଭାରତ । ଯାହା 122 ବର୍ଷର ରେକର୍ଡ ଭାଙ୍ଗିଛି ।
ଭାରତୀୟ ପାଣିପାଗ ବିଭାଗ (IMD) ମୁତାବକ, ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ଗତ ଏପ୍ରିଲ ମାସରେ ଅତ୍ୟଧିକ ଖରା ଯନ୍ତ୍ରଣା ଦେଇଛି । 122 ବର୍ଷ ମଧ୍ୟରେ ଏହି ମାସ ସବୁଠୁ ଉତ୍ତପ୍ତ ସାବ୍ୟସ୍ତ ହୋଇଛି । ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ମାସିକ ସର୍ବାଧିକ ହାରାହାରି ତାପମାତ୍ରା 35.9 ଓ 37.78 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ମାର୍ଚ୍ଚ ମାସର ଗରମ ମଧ୍ୟ 122 ବର୍ଷର ରେକର୍ଡ ଭାଙ୍ଗିଛି । 1901 ମସିହାରୁ 2022 ମଧ୍ୟରେ ମାର୍ଚ୍ଚରେ 33.10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହା 2010 ମାର୍ଚ୍ଚର 33.9 ଡିଗ୍ରୀକୁ ପାର କରିଛି।
ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁଯାୟୀ ଚଳିତ ଏପ୍ରିଲରେ ସାରା ଦେଶରେ ହିଟୱେଭ ମାମଲା 146 ରହିଛି। 2010ରେ ହିଟୱେଭ 404 ମାମଲା ରହିଥିଲା । ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତ ଯଥା- ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଓ ହରିଆଣାରେ ସ୍ବାଭାବିକଠାରୁ ଅଧିକ ଗରମ ଜାରି ରହିବ । ତେବେ ଏପ୍ରିଲ ଭଳି ମେ’ ମାସ ସାରା ଖରା ବଳବତ୍ତର ରହିବା ସମ୍ଭାବନା ରହିଛି ।