ଜୟପୁର: ହିନ୍ଦୁ ପୁଅକୁ ବିବାହ କରିଥିବାରୁ ଗର୍ଭବତୀ ଝିଅ ଉପରେ ଅଟୋ ଚଢ଼ାଇ ହତ୍ୟା କରିବାକୁ ହୀନ ପ୍ରୟାସ କଲା ବାପା । ରାଜସ୍ଥାନର ଭରତପୁର ଜିଲ୍ଲାରେ ଏଭଳି ଏକ ଜଘନ୍ୟ ଘଟଣା ଘଟିଛି । ଏହି ଘଟଣା ପରେ ଭିଡ଼ ଜମା ହେବାରୁ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛି ଅଭିଯୁକ୍ତ ବାପା ।
କଟରା ଅଞ୍ଚଳର ନରେନ୍ଦ୍ର କୁମାର ସୈନୀ, ନଗମା ଖାନ୍ ନାମକ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏହି ସମ୍ପର୍କକୁ ନେଇ ଉଭୟ ନଗମା ଓ ନରେନ୍ଦ୍ରଙ୍କ ପରିବାର ଖୁସି ନଥିଲେ । ଗତ ଫେବୃଆରୀ ୨୨ ତାରିଖରେ ଉଭୟ ଫେରାର ହୋଇ ବିବାହ କରିଛନ୍ତି । ସେପଟେ ଝିଅକୁ ନରେନ୍ଦ୍ର ଅପହରଣ କରି ନେଇଥିବା ଅଭିଯୋଗ କରିଥିଲା ଅଭିଯୁକ୍ତ ।
ଭୟରେ ନରେନ୍ଦ୍ର ନଗମାଙ୍କୁ ନେଇ ମଧ୍ୟ ପ୍ରଦେଶର କଟନୀ ରହୁଥିବା ନିଜ ବଡ଼ ଭାଇଙ୍କ ପାଖକୁ ଚାଲି ଯାଇଥିଲେ । ନଗମା ଗର୍ଭବତୀ ହେବାରୁ ପୁନଃ ଏମାନେ ଫେରି ରଞ୍ଜିତ ନଗରରେ ରହିବାକୁ ଲାଗିଲେ । ଗୁରୁବାର ନଗମା ହସ୍ପିଟାଲକୁ ଯାଇଥିଲେ । ଏହି ସମୟରେ ନଗମାଙ୍କ ବାପା ଇସ୍ଲାମ୍ ଖାନ୍ ନଜର ତାଙ୍କ ଉପରେ ପଡ଼ିଥିଲା ।
ବାହାରେ ନଗମା ଜୁସ୍ ପିଉଥିବା ବେଳେ ସେ ତାଙ୍କୁ ପ୍ରଥମେ ଧକା ଦେଇଥିଲା । ଏହାପରେ ତାଙ୍କ ଉପରେ ଅଟୋ ଚଢ଼ାଇବାକୁ ଚେଷ୍ଟା କରିଥିଲା । କୌଣସିମତେ ଏହି ଆକ୍ରମଣରୁ ବର୍ତ୍ତି ଯାଇଥିଲେ ନଗମା । ସେପଟେ ଭିଡ଼ ଜମା ହେବା ଦେଖି ଫେରାର ହୋଇଯାଇଥିଲା ଇସ୍ଲାମ୍ । ଏହାକୁ ନେଇ ଦମ୍ପତିଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଧରିବା ନିମନ୍ତେ ତଦନ୍ତ ଚଳାଇଛି ।