ଚଣ୍ଡିଗଡ଼: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିବା ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଏନେଇ ନିଜେ ଅମ୍ରିତପାଲ ସିଂହ ଭିଡିଓ ଜାରି କରି ଏହି ଚର୍ଚ୍ଚାକୁ ମିଥ୍ୟା ବୋଲି କହିଛି । ତେବେ ଆଜି ଅମ୍ରିତପାଲ ସିଂହ ଅକାଳ ତଖ୍ତର ମୁଖ୍ୟ ଜାଠେଦାରଙ୍କୁ ଭେଟିବା ପରେ ସେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ପଞ୍ଜାବ ପୋଲିସ ଓ ସୁରକ୍ଷା ବାହିନୀ ଦ୍ବାରା ସ୍ବର୍ଣ୍ଣ ମନ୍ଦିର ରାସ୍ତାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । ତେବେ ନିଜେ ଅମ୍ରିତପାଲ ଭିଡିଓ ଜାରି କରି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି । ଏହା ସହ ବୈଶାଖିରେ ସର୍ବତ ଖାଲ୍ସାର ନେତୃତ୍ବ ନେବାପାଇଁ ସେ ଜେଠାଦାରଙ୍କୁ ଅପିଲ କରିଛି ।
ତେବେ ୱାରିସ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିବା ଚର୍ଚ୍ଚା ମଧ୍ୟରେ ପଳାତକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହିଛି ଯେ ସେ ଗିରଫ ହେବାକୁ ଡରେ ନାହିଁ । ତାର କେହି କିଛି ବିଗାଡ଼ି ପାରିବେ ନାହିଁ ବୋଲି କହି ପୁରା ପୋଲିସ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରଛି ପଳାତକ ଅମ୍ରିତପାଲ । ସେ ଶିଖ୍ ସଙ୍ଗତ ସହ ମଧ୍ୟ ଲାଇଭ ବାର୍ତ୍ତାଳପ କରିଛି । ସେ କହିଛି, "ଏହା କେବଳ ମୋର ଗିରଫ ହେବା ପ୍ରସଙ୍ଗ ନୁହେଁ । ଏହା ସମ୍ପୂର୍ଣ୍ଣ ଶିଖ ସମୁଦାୟ ଉପରେ ଆକ୍ରମଣର ପ୍ରସଙ୍ଗ । ଯଦି ସରକାରଙ୍କ କେବଳ ମୋତେ ଗିରଫ କରିବାର ମାନସିକତା ଥିଲା, ତେବେ ମୋତେ ଘରୁ ଆସି ଗିରଫ କରି ପାରିଥାନ୍ତେ । କିନ୍ତୁ ଯେତେବେଳେ ପଞ୍ଜାବରେ ଇଣ୍ଟରେଟ ବନ୍ଦ ହେଲା, ଏହା ଶିଖ ସମୁଦାୟ ଉପରେ ଆକ୍ରମଣ । ସରକାରଙ୍କ ଅତ୍ୟାଚାରର ସୀମା ଅତିକ୍ରମ କରିଛି । ସରକାରର ଏଭଳି ଆକ୍ରମଣରେ କୌଣସି ଶିଖ୍ ରକ୍ଷା ପାଇଲେ ନାହିଁ ।"
ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଜାରି କରିଥିବା ଭିଡିଓରେ କହିଛି ଯେ ସେ କେବେ ଗିରଫ ହେବାକୁ ଭୟ କରେ ନାହିଁ । ଜାଠେଦାରଙ୍କ ଦ୍ବାରା ସରକାରଙ୍କୁ ଦିଆଯାଇଥିବା ଅନ୍ତିମ ଚେତାବନୀକୁ ସେ ପ୍ରଶଂସା କରିଛି । ସେ କହିଛି, "ଅନେକ ନିର୍ଦ୍ଦୋଷଙ୍କୁ ସରକାର ଜେଲ୍ରେ ଭର୍ତ୍ତି କରିଛନ୍ତି । ଏହାର ବିରୋଧରେ ସମ୍ପୂର୍ଣ୍ଣ ଶିଖ୍ ସମ୍ପ୍ରଦାୟକୁ ଏକାଠି ହେବାକୁ ପଡ଼ିବ । ସମସ୍ତଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ । ସରକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ପଞ୍ଜାବର ସମସ୍ତ ଲୋକ ସର୍ବତ ଖାଲ୍ସାର ଅଂଶ ବନିବେ । ଜାଠେଦାରଙ୍କୁ ଆଗକୁ ଆସି ବୈଶାଖୀରେ ସର୍ବତ ଖାଲ୍ସାର ନେତୃତ୍ବ ନେବାକୁ ହେବ ।" ଯଦି ପଞ୍ଜାବର ଯୁବକମାନେ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଏହି ସର୍ବତ ଖାଲ୍ସାରେ ଯୋଗ ଦେବାକୁ ପଡ଼ିବ ବୋଲି କହିଛି ୱାରିସ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂହ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ