ଚଣ୍ଡିଗଡ଼: କିଛିଦିନ ତଳେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୋଲିସକୁ ଚକମା ଦେଇ ଫେରାର୍ ହୋଇଯାଇଥିଲା । ତାକୁ ଧରିବା ପଞ୍ଜାବ ପୋଲିସ ପାଇଁ ଏବେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ସାରା ରାଜ୍ୟରେ ହାଇଆର୍ଲଟ ଜାରି ହୋଇଛି । ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲର ଏବେ ପର୍ଯନ୍ତ କୌଣସି ପତ୍ତା ମିଳୁନଥିବାରୁ ତାକୁ ପଳାତକ ଘୋଷଣା କରିଛି ପଞ୍ଜାବ ପୋଲିସ । ଏହାରି ମଧ୍ୟରେ ଜାଠେଦାର (ଆକଳ ତଖ୍ତର ମୁଖ୍ୟ)ଙ୍କୁ ଭେଟିବା ପରେ ସେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ । ସେପଟେ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ଦର୍ଦାବ ସାହିବ ଓ ବଜାର ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ୱାରିସ ଦେ ପଞ୍ଜାବ ମୁଖ୍ୟ ଅମ୍ରିତପାଲ ସିଂହ ନିଜ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛି । ସେଥିପାଇଁ ଆକଳ ତଖ୍ତର ମୁଖ୍ୟ ଜାଠେଦାରଙ୍କ ମାଧ୍ୟମରେ ଆତ୍ମସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଆତ୍ମସମର୍ପଣ ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ସେପଟେ ଗତ ୧୧ ଦିନରୁ ଫେରାର ହୋଇଥିବା ଖଲିସ୍ତାନୀ ନେତା ଆତ୍ମସମର୍ପଣ କରିବା ଚର୍ଚ୍ଚାକୁ ନେଇ ପ୍ରଶାନ ଚୁପ ରହିଛି । ତେବେ ବଢ଼ାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଓ ଅମ୍ରିତପାଲ ସିଂହର ଆତ୍ମସମର୍ପଣ ନେଇ ପଚାରିବାରୁ ଡିସିପି ରାଜେଶ କକ୍କଡ କହିଛନ୍ତି, "ସହରରେ ବ୍ୟାପକ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଟ୍ରାଫିକ୍ ଚେକିଂକୁ କଡ଼ାକଡ଼ି କରାଯାଇଛି । ଯାହାକି ଅମ୍ରିତପାଲ ସିଂହର ଆତ୍ମସମର୍ପଣ ଗୁଜବକୁ ବଳ ଯୋଗାଇଛି ।"
ତେବେ ତଖ୍ତ୍ ଜାଠେଦାର ଜିଆନି ହରପ୍ରୀତ ସିଂହ, ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହକୁ ଆତ୍ମସମର୍ପଣ କରି ପୋଲିସକୁ ତଦନ୍ତରେ ସହଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଏହାପରେ ଏହି ଖଲିସ୍ତାନୀ ନେତାର ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅକାଲ ତଖ୍ତ୍ର ଜାଠେଦାର ପୋଲିସ ଉପରେ ପ୍ରଶ୍ନ ଉଠାଇଥିଲେ । ଏତେ ସଂଖ୍ୟାରେ ପୋଲିସ ଥାଇ ମଧ୍ୟ ଅମ୍ରିତପାଲ ସିଂହକୁ କିପରି ଗିରଫ କରିପାରିଲେ ନାହିଁ, ସେନେଇ ସେ ପ୍ରଶ୍ନ କରିଥିଲେ । ଏହାସହ ଅମ୍ରିତପାଲ ସିଂହକୁ ଆତ୍ମସମର୍ପଣ କରି ତଦନ୍ତରେ ସହଯୋଗ କରିବାକୁ ମଧ୍ୟ କହିଥିଲେ । ତେବେ ପୂର୍ବ ସପ୍ତାହରେ ଅମ୍ରିତପାଲଙ୍କ ପିତାମାତାଙ୍କୁ ପୋଲିସ ଗିରଫ କରିଥିବା ସେମାନେ ଦାବି କରିଥିଲେ । ଏହା ସହିତ ଅମ୍ରିତପାଲ ମାମଲାରେ ଗିରଫ ହୋଇଥିବା ଯୁବକମାନେ ସେଭଳି କୌଣସି ଗୁରୁତର ଅପରାଧ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେ ପୋଲିସର ଚଢ଼ାଉକୁ ନିନ୍ଦା କରିବା ସହ ଅନେକ ଯୁବକଙ୍କୁ ସେମାନଙ୍କ ଘରୁ ଗିରଫ କରାଯାଇଥିବା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦାବି କରିଛନ୍ତି । ପୋଲିସ ସେମାନଙ୍କର ଅଭିବ୍ୟକ୍ତିର ଅଧିକାରକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ସହ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଥିବା ଯୁବକମାନଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉ କି, ଗତ ଶନିବାର ଦିନ ଅଜନାଲା ପୋଲିସ ଷ୍ଟେସନରେ ହୋଇଥିବା ଆକ୍ରମଣ ଘଟଣାରେ ପଞ୍ଜାବ ପୋଲିସ ଅମ୍ରିତପାଲର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ଅମୃତପାଲଙ୍କ ସହ ମୋଗା ଯାତ୍ରା କରୁଥିବାବେଳେ ସେମାନଙ୍କୁ ଜଳନ୍ଧରର ମେହଟପୁର ଅଞ୍ଚଳରୁ ଗିରଫ କରାଯାଇଥିଲା । ପୋଲିସ ଅମ୍ରିତପାଲକୁ ଧରିବା ପାଇଁ ଏହି ଅଞ୍ଚଳକୁ ଘେରାବନ୍ଦୀ କରିଥିବା ବେଳେ ସେ ଲିଙ୍କ୍ ରୋଡ଼ ଦେଇ ଫେରାର ହୋଇଯାଇଥିଲା । ଏହାପରେ ପଞ୍ଜାବ ପୋଲିସର ପ୍ରାୟ ୧୦୦ଟି ଗାଡି ତାକୁ ଧରିବା ପାଇଁ ଗୋଡାଇଥିଲା । ଏହି ସମୟରେ ଅମ୍ରିତପାଲକୁ ଜଳନ୍ଧର ନାକୋଦର ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ପରେ କିନ୍ତୁ ପୋଲିସ ଏହାକୁ ଅସ୍ୱୀକାର କରିଥିଲା । ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କରିଥିଲା ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ