ଅଗରତାଲା: ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ । ପ୍ରଚାର ମଇଦାନକୁ ଓହ୍ଲାଇଲେଣି ହେବିଓ୍ବେଟ ନେତା । ଦିନ ଯେତିକି ପାଖଉଛି ସେତିକି କମ୍ପୁଛି ପ୍ରଚାର ମଇଦାନ । ତ୍ରିପୁରାରେ ନିର୍ବାଚନ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପରେ ଜୋରଦାର ହୋଇଛି ପ୍ରଚାର । ଶନିବାର ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ପ୍ରଚାର କରିବେ । ଆଜି ତ୍ରିପୁରାରେ ଦୁଇଟି ରାଲିରେ ସାମିଲ ହେବା ସହ ସମ୍ବୋଧନ କରିବେ ଅମିତ ଶାହ ।
ତ୍ରିପୁରାରେ ପହଞ୍ଚିବା ପରେ ପ୍ରଥମେ ଉଦୟପୁରରେ ଥିବା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଏହାପରେ ମଧ୍ୟାହ୍ନରେ ଉନ୍ନାକୋଟି ଜିଲ୍ଲାର ଚଣ୍ଡିପୁରରେ ପ୍ରଥମ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ଅପରାହ୍ନ ୨ଟା ସମୟରେ ସେପାହିଜାଲା ଜିଲ୍ଲାର ବିଶ୍ରାମଗଞ୍ଚରେ ଆଉ ଏକ ରାଲିକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟା ସମୟରେ ପ୍ରତାପଗଡ ନିର୍ବାଚନ ମଣ୍ଡିଳୀରେ ଏକ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।
ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରାରେ ୨ଟି ରାଲିକୁ ସମ୍ବୋଧିତ କରିଥିଲେ । ଧଲାଇ ଜିଲ୍ଲାର ଆମ୍ବାସାରେ ଆୟୋଜିତ ରାଲିରେ ସାମିଲ ହୋଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ''ବାମପନ୍ଥି କଂଗ୍ରେସ ଗରିବ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରିଛନ୍ତି । ଆଦିବାସୀଙ୍କୁ ସମ୍ମାନ ଓ ସେମାନଙ୍କ ସାମଗ୍ରୀକ ବିକାଶ ପାଇଁ ବିଜେପି ପ୍ରତିବଦ୍ଧ । ରାଜ୍ୟରେ ମହିଳା ସଶକ୍ତିକରଣକୁ ନେଇ ବିଜେପି କାର୍ଯ୍ୟ କରି ଓ ଆଗକୁ ମଧ୍ୟ ଏହା ଜାରି ରଖିବ । ବର୍ତ୍ତମାନ ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛି । ଗରିବ ଲୋକଙ୍କ ପାଇଁ ୩ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ଲୋକଙ୍କ କିପରି ଆୟ ବୃଦ୍ଧି ପାଇବ ତାହା ଉପରେ ଗୁରୁତ୍ବ ଦିଆଯାଉଛି । ''
ଆସନ୍ତା ଫେବୃଆରୀରେ ୧୬ ତାରିଖରେ ୬୦ଟି ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନାମାଙ୍କନ ଦାଖଲର ଶେଷ ହେବା ପରେ ୩୧ ରେ ନାମାଙ୍କନ ଯାଞ୍ଚ ହୋଇଥିଲା । ଆସନ୍ତା ମାର୍ଚ୍ଚ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।