କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୋଟିସ ଜାରି କରିଛନ୍ତି ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର କୋର୍ଟ । ତୃଣମୂଳ କଂଗ୍ରେସ ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରାଯାଇଥିଲା । ତେବେ ଫେବୃଆରୀ 22ରେ କୌଣସି ବ୍ୟକ୍ତିଗତ ଆଇନଜୀବୀ ଜାରିଆରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବିଧାନନଗରରେ ସାଂସଦ ଓ ବିଧାୟକଙ୍କ ସହ ଜଡିତ ମାମଲାରୁ ଶୁଣାଣି କରୁଥିବା ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଗୃହମନ୍ତ୍ରୀଙ୍କୁ ନିଜେ କିମ୍ବା କୌଣସି ଆଇନଜୀବୀଙ୍କ ଜରିଆରେ ହାଜର ହେବାକୁ ପଡିବ । କୋର୍ଟ ନିଜ ଆଦେଶରେ କହିଛନ୍ତି, ବ୍ୟକ୍ତିଗତ ରୂପେ କିମ୍ବା ଆଇନଜୀବୀଙ୍କ ମାଧ୍ୟମରେ ଶାହଙ୍କ ଉପସ୍ଥିତି ଭାରତୀୟ ଦଣ୍ଡ ସଂହିତାର ଧାରା 500 ଆଧାରରେ ମାନହାନୀ ଅଭିଯୋଗର ଜବାବ ଦେବା ପାଇଁ ଆବଶ୍ୟକ ଅଟେ ।
ଅଭିଷେକ ବାନାର୍ଜୀଙ୍କ ଆଇନଜୀବୀ ସଞ୍ଜୟ ବସୁ ଏକ ପ୍ରେସ ବିଜ୍ଞପ୍ତିରେ ଦାବି କରିଛନ୍ତି, ଶାହ 11 ଅଗଷ୍ଟ 2018ରେ କୋଲକାତାର ମେୟୋ ରୋଡରେ ଆୟୋଜିତ ବିଜେପିର ରାଲିରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।