ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ କଥା ହୋଇଥିଲେ । ଦୁଇ ନେତା ଆଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମେତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ତଥା ମାନବ ଚାଲାଣର ପ୍ରସାର, ମାନବିକ ଅଧିକାର, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଆଦି ବିଷୟରେ ଚିନ୍ତାବ୍ୟକ୍ତ କରିଥିଲେ ।
ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଉଥିବା ଦ୍ବିପାକ୍ଷିକ ସହଯୋଗ ଏବଂ ଭାରତ-ଫ୍ରାନ୍ସର ସହଭାଗିତା ସହ ଏହି ଅଞ୍ଚଳରେ ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗ ଆଭିମୁଖ୍ୟରେ ନେତାମାନେ ଘନିଷ୍ଠ ଏବଂ ନିୟମିତ ପରାମର୍ଶ ବଜାୟ ରଖିବାକୁ ରାଜି ହୋଇଥିଲେ ଯାହାକୁ ଉଭୟ ଦେଶ ଗଭୀର ଭାବେ ସମ୍ମାନ କରନ୍ତି ।