ଆଗ୍ରା: ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲଚେୟାର ଏକ ବଡ ସାହାରା । ଏହାର ସହାୟତାରେ ଜଣେ ଭିନ୍ନକ୍ଷମ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ । ମଣିଷଙ୍କ ପାଇଁ ହ୍ବିଲଚେୟାର ତ ଦେଖଛନ୍ତି, କିନ୍ତୁ ଦିବ୍ୟାଙ୍ଗ କୁକୁରଙ୍କ ପାଇଁ ହ୍ବିଲଚେୟାର କେବେ ଦେଖିଛନ୍ତି କି ? ଯଦି ନା ତାହାହେଲେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଭିଡିଓରେ ଦିବ୍ୟାଙ୍ଗ କୁକୁରଙ୍କ ପାଇଁ ହ୍ବିଲଚେୟାର ତିଆରି ହୋଇଥିବାର ଦେଖିବାକୁ ମିଳିଛି । ଆଗ୍ରାର ଅମନ ଅଗ୍ରୱାଲ ନାମକ ଯୁବକ ଏହାକୁ ପ୍ରସ୍ତୁତ କରିଛନ୍ତି । ଯାହାର ସହାୟତାରେ ଭିନ୍ନକ୍ଷମ କୁକୁରମାନଙ୍କ ସଂଘର୍ଷମୟ ଜୀବନ ସହଜ ହୋଇଛି ।
ଅମନ ଅଗ୍ରୱାଲ ଆଗ୍ରାର ଏକ ଡଗ୍ସ ଲଭର ସଂସ୍ଥା ସହ ଜଡିତ । କୋରୋନା ମହାମାରୀ କାଳରେ ନିଜର ଏନଜିଓ ସହାୟତାରେ ଏହି ଯୁବକ ଅନେକ ଅସହାୟଙ୍କ ସହାୟତା କରିଥିଲେ । ଏହି ସମୟରେ ଗୋଟିଏ ଭିନ୍ନକ୍ଷମ କୁକୁର ତାଙ୍କ ନଜରରେ ପଡିଥିଲା । କୁକୁରଟିର ଗୋଡ ନଥିବାରୁ ସେ ଘୋଷାଡି ହୋଇ ଚାଲୁଥିବାର ଦେଖି ଅମନଙ୍କ ହୃଦୟ ବିଚଳିତ ହୋଇପଡିଥିଲା । ସେହି ଦିନ ଠାରୁ ସେ ଏପରି ଭିନ୍ନକ୍ଷମ ପଶୁଙ୍କ ପାଇଁ କିଛି କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।
ଅମନ ସୋସିଆଲ ମିଡିଆ ସାଇଟରୁ ଭିନ୍ନକ୍ଷମ କୁକୁରଙ୍କ ପାଇଁ ଉଦ୍ଦିଷ୍ଟ ହ୍ବିଲଚେୟାର ଆଣିବାକୁ ବିଚାର କରିଥିଲେ । ହେଲେ ଦାମ୍ ଅଧିକ ଥିବାରୁ ଏହାକୁ କିଣିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ତେଣୁ ଅମନ ସର୍ବପ୍ରଥମେ ନିଜ ଭାଇଭଉଣୀଙ୍କ ସହାୟତାରେ ପ୍ଲାଷ୍ଟିକ ପାଇପ (PVC) ଦ୍ବାରା ଏକ ହ୍ବିଲଚେୟାର ପ୍ରସ୍ତୁତ କରିଥିଲେ । ଏହାକୁ ସେ ଭିନ୍ନକ୍ଷମ କୁକୁରଙ୍କ ଉପରେ ପରୀକ୍ଷଣ କରିଥିଲେ । ଏହାଦ୍ବାରା ଚାଲିବାକୁ ଅକ୍ଷମ କୁକୁର ଦୌଡିବାକୁ ଲାଗିଥିଲା । ସେହିଦିନ ପରଠାରୁ ଅମନ ଏହି ହ୍ବିଲଚେୟାର ତିଆରି କରୁଛନ୍ତି । ଯୁବକଙ୍କ ଏହି ପ୍ରଚେଷ୍ଟା ଆବଶ୍ୟକତା ଆବିଷ୍କାରର ଜନନୀ ଉକ୍ତିକୁ ପ୍ରମାଣିତ କରିଛି ।
ଏନେଇ ଅମନ କହିଛନ୍ତି, ଯେଉଁ ଭିନ୍ନକ୍ଷମ କୁକୁର ପାଇଁ ସେ ପ୍ରଥମେ ହ୍ବିଲଚେୟାର ତିଆରି କରିଥିଲେ ତାହାର ଏକ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓଟିରେ ଦେଖାଯାଇଛି, କୁକୁର ପ୍ରଥମେ ଘୋଷାଡି ହୋଇ ଚାଲୁଥିଲା । ହ୍ବିଲଚେୟାର ଲାଗିବା ପରେ ସେ ଦୌଡିବାକୁ ଲାଗିଥିଲା । ଏହି ଭିଡିଓକୁ ଯୁବକ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବେସୁଦ୍ଧା ଭିଡିଓକୁ ୯ ଲକ୍ଷ ଲୋକ ଦେଖିସାରିଥିବା ବେଳେ ୯୮ ହଜାର ଲୋକେ ଲାଇକ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅମନ ୪୦ରୁ ୪୫ଟି ହ୍ବିଲଚେୟାର ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଇସାରିଲେଣି । ଏହାର ଦାମ୍ ରହିଛି ୨୫୦୦ରୁ ୫ ହଜାର ଟଙ୍କା । ୨୦୨୧ରେ ପ୍ରଥମେ ଯୁବକ ଜଣକ ବଲ୍କେଶ୍ବର ନିବାସୀ କବିତା ଖେମାନୀଙ୍କୁ ଏହା ବିକ୍ରୟ କରିଥିଲେ ।