ନୂଆଦିଲ୍ଲୀ: ଜୀବନ ପାଇଁ ଅନ୍ୟ ମାଦକ ଦ୍ରବ୍ୟର ଯେପରି ଆବଶ୍ୟକତା ରହିଛି ସେପରି ଡ୍ରଗର ମଧ୍ୟ ଆବଶ୍ୟକତା ରହିଛି । ଟିକସ୍ ଆଦାୟ କରି ଯେପରି ଗୁଟଖା, ପାନମସଲା ଏବଂ ତମାଖୁଜାତ ଦ୍ରବ୍ୟ ବିକ୍ରିକୁ ଅନୁମତି ମିଳିଛି ସେହିପରି ଡ୍ରଗକୁ ଅନୁମତି ମିଳିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ କେଟିଏସ ତୁଳସୀ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁଳସୀ କହିଛନ୍ତି ଯେ, 'ମଦ, ଗୁଟଖା, ତମାଖୁ, ସିଗାରେଟ ଶରୀରରେ କ୍ଷତି କରେ । ଯଦି ଟଙ୍କା ନେଇ ଏଗୁଡିକୁ ଖାଇବାକୁ ଅନୁମତି ଦିଆଯାଉଛି ତେବେ ଡ୍ରଗକୁ କାହିଁକି ନୁହେଁ । ମାଦକ ପ୍ରତ୍ୟେକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ, ଏହା ଯନ୍ତ୍ରଣା ଲାଘବ କରେ । ତେଣୁ ନିୟନ୍ତ୍ରିତ ପରିମାଣରେ ଡ୍ରଗ ଜୀବନ ପାଇଁ ଦରକାର ।'
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଟିକସ ନେଇ ଡ୍ରଗ୍ସ ବିକ୍ରିର ଅନୁମତି ରହିଛି । ବହୁ ଅନୁଷ୍ଠାନରେ ଔଷଧ ମାଧ୍ୟମରେ ଡ୍ରଗ୍ ନିଆହୁଏ । ଯଦି ଡ୍ରଗର ଆବଶ୍ୟକ ଅଛି ତେବେ ବ୍ୟବହାର ପାଇଁ ଅନୁମତି କାହିଁକି ନୁହେଁ ?' ଏଥିସହ ନାକ୍ରୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍ ସବଷ୍ଟାନ୍ସ(NDPS) ଅଧିନିୟମ 1985ର ସଂଶୋଧନ କରାଯାଇ ଏହି ନିୟମ ଚାଲୁ କରିବା ଉଚିତ୍ । ନଚେତ୍ ବହୁ ଲୋକଙ୍କ ପାଖରେ ଏହି ନିୟମ ଏକ ଅତ୍ୟାଚାର ହୋଇଯିବ ବୋଲି ସେ କହିଛନ୍ତି ।
ତେବେ କ୍ରୁଜ ପାର୍ଟିରେ ବେଆଇନ ନିଶା ସେବନ ଏବଂ ନିଶା କାରବାରକୁ ନେଇ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ଏପରି ମତ ପ୍ରକାଶକୁ ନେଇ ବେଶ୍ ଚର୍ଚ୍ଚା ହେଉଛି ।
@ANI