ହାଇଦ୍ରାବାଦ: ନିଶାସକ୍ତ ବାପାର ତୁମୁଳ କାଣ୍ଡ । ୨ ବର୍ଷର ପୁଅ କାନ୍ଦିବାରୁ ପୁଅକୁ ହତ୍ୟା କଲା ମଦୁଆ ବାପା (father killed his 2 year old son for crying)। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନେରେଦମେଟ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣା ସମ୍ପର୍କରେ ମୃତ ଶିଶୁର ମାଆ ଥାନାରେ ଅଭିଯୋଗ କରିବା ପରେ ପିଶାଚ ବାପାକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ଦିବ୍ୟା ଓ ସୁଧାକର ଉଭୟ ହାଇଦ୍ରାବାଦର ନେରେଦମେଟ ଥାନା ଅନ୍ତର୍ଗତ ଜେଜେ ନଗର ଅଞ୍ଚଳରେ ଥିବା SSB ଆପାର୍ଟମେଣ୍ଟରେ ୱାଚମ୍ୟାନ ଭାବେ କାର୍ଯ୍ୟରତ ଥିଲେ । ଗତ ୨୦୧୯ ମସିହାରେ ଉଭୟ ବିବାହ କରିଥିଲେ । ସେମାନଙ୍କର ୨ ବର୍ଷର ଗୋଟିଏ ପୁତ୍ର ସନ୍ତାନ ରହିଥିଲା । ତେବେ ଗତକାଲି (ସୋମବାର) ରାତିରେ ପୁଅ କାନ୍ଦିବାରୁ ନିଶାସକ୍ତ ବାପା ସୁଧାକର ପୁଅକୁ ଅମଣିଷ ଭାବରେ ପିଟିଥିଲା । ଏହି ସମୟରେ ଶିଶୁ ଦେହରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା ।
ଶିଶୁଟିକୁ ହସ୍ପିଟାଲ୍ ନେବା ବେଳେ ତାର ମୃତ୍ୟୁ ଘଟିଥିଲା । ଏହାପରେ ମୃତ ଶିଶୁର ମାଆ ନେରେଦମେଟ ଥାନାରେ ପହଞ୍ଚି ସ୍ବାମୀ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦଫା ୩୦୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଧାକରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ