ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ଉଡୁଥିବା ବେଳେ ଯାତ୍ରୀଙ୍କ ହଙ୍ଗାମା । କ୍ରୁ ମେମ୍ବରଙ୍କ ସହ ଝଗଡା ପରେ ମାଡ ମାରିଲେ ବିମାନ ଯାତ୍ରୀ । ଶେଷରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଫେରି ଆସିଲା ବିମାନ । ଦିଲ୍ଲୀରୁ ଇଂଲଣ୍ଡ ଉଡାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଏପରି ଆଚରଣ ପରେ ଆଇଜିଆଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ । ଏହି ଘଟଣାରେ ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ ପକ୍ଷରୁ ଦିଲ୍ଲୀ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ ହୋଇଛି । ଯାତ୍ରୀ ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଇଂଲଣ୍ଡ ଅଭିମୁଖେ ଦିଲ୍ଲୀ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ AI-111 ଉଡାଣ ଆରମ୍ଭ କରିଥିଲା । ତେବେ ବିମାନଟି ଯେତେବେଳେ ମଝି ଆକାଶରେ ଉଡାଣ କରୁଥିଲା ଏହି ସମୟରେ ଜଣେ ଯାତ୍ରୀ କ୍ରୁ ମେମ୍ବରଙ୍କ ସହ ଝଗଡା କରିଥିଲେ । ଏହାପରେ ତାଙ୍କୁ ମାଡ ମଧ୍ୟ ମାରିଥିଲେ ଯାତ୍ରୀ ଜଣଙ୍କ । ଯାହାକୁ ନେଇ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡିଥିଲେ । କିଛି ଅଘଟଣ ଘଟିବା ଆଗରୁ ପାଇଲଟ ସଙ୍ଗେ ସଙ୍ଗେ ବିମାନକୁ ଇଂଲଣ୍ଡ ପରିବର୍ତ୍ତେ ଦିଲ୍ଲୀକୁ ଫେରାଇ ଆଣିଥିଲେ । ଏହାପରେ ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ ତରଫରୁ ବିମାନବନ୍ଦର ଥାନାରେ ଅଭିଯୋଗ ହୋଇଥିଲା ।
ପୋଲିସ ଉକ୍ତ ଯାତ୍ରୀ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି । ତେବେ କେଉଁ କାରଣକୁ ନେଇ ଯାତ୍ରୀ ଜଣଙ୍କ କ୍ରୁ ମେମ୍ବରଙ୍କ ସହ ଝଗଡା କଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପୋଲିସର ପଚରାଉଚରା ପରେ କାରଣ ସାମ୍ନାକୁ ଆସିବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଗତ କିଛିଦିନ ତଳେ ଇଣ୍ଡିଗୋ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ଫଳରେ ଉଡାଣ ଶେଷ କରିବା ପୂର୍ବରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ବେଙ୍ଗାଲୁରୁରୁ ବାରଣାସୀକୁ ଉଡାଣ କରୁଥିବା ସମୟରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିବା ଜାଣିପାରିଥିଲେ ପାଇଲଟ । ଏହା ପରେ କିଛି ଅଘଟଣ ଘଟିବା ପୂର୍ବରୁ ବାରଣାସୀରେ ଅବତରଣ କରିବା ପରିବର୍ତ୍ତେ ତେଲେଙ୍ଗାନାର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ଇଣ୍ଡିଗୋ ବିମାନ।
ସେହିପରି ଗତ ମାର୍ଚ୍ଚ 30 ତାରିଖ ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ କୁଏତ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । 15 ଜଣ ଯାତ୍ରୀଙ୍କୁ ନନେଇ ଉଡାଣ କରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜୟଓ୍ବାଡାର ଗାନାନଭାରମ ଏୟାର ପୋର୍ଟରୁ 85 ଯାତ୍ରୀଙ୍କୁ ନେଇ କୁଏତ ଅଭିମୁଖେ ଉଡାଣ କରିଥିଲା ଏୟାର ଇଣ୍ଡିଆ ବିମାନ ।