ହାଇଦ୍ରାବାଦ: ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜଣେ ବାୟୁସେନା ଅଧିକାରୀ ଆତ୍ମହତ୍ୟା କରିଛନ୍ତି (Air Force officer shoots self dies)। ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ସିଲିଗୁଡି ନିକଟ ବାଗଡୋଗ୍ରାରେ ଥିବା ଏୟାରଫୋର୍ସ ବେସରେ ଘଟିଛି । ମୃତ ଅଧିକାରୀଜଣଙ୍କ 37 ବର୍ଷୀୟ ସୁରଜିତ ମେହେରା ଓ ସେ ଉତ୍ତରାଖଣ୍ଡର ଚମୋଲିର ବାସିନ୍ଦା । ତେବେ ଅଧିକାରୀଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ହୋଇନି । ବିଭାଗୀୟ ତଦନ୍ତ ସହ ସ୍ଥାନୀୟ ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛି ।
ପୋଲିସ ସୂତ୍ର ଅନୁଯାୟୀ, ଗତକାଲି (ସୋମବାର) ବାଗଡୋଗ୍ରା ବାୟୁସେନା ଶିବିରରେ ଏହି ଅଧିକାରୀଜଣଙ୍କ ନିଜ ସର୍ଭିସ ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସାଥୀ ଅଧିକାରୀମାନେ ମୃତଦେହ ପଡିଥିବା ଅବସ୍ଥାରେ ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବାୟୁସେନା ମଧ୍ୟ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ମୃତ ଅଧିକାରୀଙ୍କ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ