ରାୟପୁର: ବସ୍ତରରେ ମାଓ ଅଞ୍ଚଳରେ ନିୟୋଜିତ ହୋଇଥିବା ଯବାନଙ୍କ ପାଇଁ ଖୁସି ଖବର । ଯବାନମାନେ ଛୁଟିରେ ଘରକୁ ଯିବା ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି କେନ୍ଦ୍ରଗୃହ ମନ୍ତ୍ରଣାଳୟ । ଏଣିକି ପାରା ମିଲିଟାରୀ ଯବାନମାନେ ସିଧା ରାୟପୁରରୁ ଦିଲ୍ଲୀ ବିମାନରେ ଯାଇପାରିବେ ।
ଏଥିପାଇଁ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ଆସନ୍ତା ୭ ତାରିଖରୁ ଜଗଦଲପୁରରୁ ରାୟପୁର ପର୍ଯ୍ୟନ୍ତ ୭୨ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ସେବା ଆରମ୍ଭ କରିବାକୁ ଯାଉଛି । ଏଥିରେ କେବଳ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଥିବା ଯବାନ ଓ ସେନା ଅଧିକାରୀ ଯାତ୍ରା କରିବେ । ଏହାପୂର୍ବରୁ ବାୟୁସେନା ବିମାନ ସେନା ଅଧିକାରୀଙ୍କୁ ନେଇ ଜଗଦଲପୁରରୁ ଦିଲ୍ଲୀକୁ ଯାଉଥିଲା ।
ମାତ୍ର ଏହା ମାସକୁ ଥରେ ବିମାନ ଉଡାଣ କରୁଥିବାରୁ ଯବାନଙ୍କ ପାଇଁ ଅସୁବିଧା ହେଉଥିଲା । ଏଥିସହିତ ମେ' ୭ରୁ ଇଣ୍ଡିଗୋ ବିମାନ ଜଗଦଲପୁରରୁ ରାୟପୁର ଏବଂ ଦିଲ୍ଲୀକୁ ସପ୍ତାହରେ ତିନିଦିନ ସେବା ଯୋଗାଇ ଦେବ । ଫଳରେ ଯବାନଙ୍କ ଛୁଟିରେ ସମୟ ସଞ୍ଚୟ ହୋଇ ପାରିବ । ଏହି ବ୍ୟବସ୍ଥା ଲାଗୁହେବା ନେଇ ଯବାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ