ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ବଡ ହସ୍ପିଟାଲ ଏମ୍ସରେ ପ୍ରଥମ ହାର୍ଟ ପ୍ରତିରୋପଣ କରାଯାଇଛି । ପ୍ରତିରୋପଣ କରାଯାଇଥିବା 18 ବର୍ଷୀୟ ଯୁବକ ବ୍ଲୁ ବ୍ଲଡ ରୋଗ(ଚର୍ମର ରଙ୍ଗ ନୀଳ ଦେଖାଯାଉଥିବା ରୋଗ)ରେ ପୀଡିତ ଥିଲେ । ତେବେ ମସ୍ତିଷ୍କ ଅକାମୀ ହେବା ପରେ ମୃତ୍ୟୁ ଘଟିଥିବା 20 ବର୍ଷର ଯୁବତୀଙ୍କ ହାର୍ଟକୁ ନେଇ ଉକ୍ତ ଯୁବକଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି ।
ବ୍ଲୁ ବେବୀ ବା ବ୍ଲୁ ବ୍ଲଡ ରୋଗରେ ପୀଡିତ ଥିବା ଏହି 18 ବର୍ଷୀୟ ଯୁବକ ଅମନ ବଡୀ ବହୁତ କଷ୍ଟରେ ଏତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ । କାରଣ ବ୍ଲୁ ବେବୀ ରୋଗରେ ପୀଡିତ ଶିଶୁଙ୍କୁ ଆୟୁ କମ ରହିଥାଏ । ତେବେ ଏହି ଯୁବକଙ୍କ ହୃତପିଣ୍ଡ ଶୁଦ୍ଧ ଓ ବିଶୁଦ୍ଧ ରକ୍ତକୁ ଅଲଗା କରିବାରେ ଅକ୍ଷମ ରହିଥିଲା । ଫଳରେ ଶରୀରକୁ ଯାଉଥିବା ଏହି 2 ପ୍ରକାରର ରକ୍ତ ଗୋଟିଏ ସ୍ଥାନକୁ ପ୍ରବାହିତ ହେଉଥିଲେ । ଏଣୁ ଅମନଙ୍କ ହୃତପିଣ୍ଡ ପ୍ରତିରୋପଣ କରିବା ଜରୁରୀ ଥିଲା । ମସ୍ତିଷ୍କ ଅକାମୀ ହେବା ଫଳରେ ମୃତ୍ୟୁ ହୋଇଥିବା ଗୁଜୁରାଟ ବଡୋଦରାର ଯୁବତୀଙ୍କ ହୃତପିଣ୍ଡକୁ ଡାକ୍ତର ଅମନଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି ।
ତେବେ ଅମନଙ୍କ ଅସ୍ତ୍ରୋପଚାର ସଫଳ ରହିଥିବାବେଳେ ସେ ଏବେ ବ୍ଲୁ ବ୍ଲଡ ରୋଗରୁ ମୁକ୍ତ ହୋଇଥିବା ଏମ୍ସରେ ଜଣେ ଡାକ୍ତର କହିଛନ୍ତି । ଅମନଙ୍କୁ ଆଇସିୟୁରେ ରଖାଯାଇଥିବାବେଳେ ଏକ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏହାସହିତ ଅମନଙ୍କ ଶରୀରରେ ଅନ୍ୟ ଏକ ଶରୀରର ଅଙ୍ଗ ପ୍ରତିରୋପଣ କରାଯାଇଥିବାରୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଥିବା ଯୋଗୁଁ ତାଙ୍କୁ ଔଷଧ ଦିଆଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ