ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଆସନ୍ତା ସପ୍ତାହରୁ କୋଭିଡ୍ ଟିକାକରଣ ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ରୁଷିଆ ମଧ୍ୟ ଆସନ୍ତା ସପ୍ତାହରୁ ସ୍ପୁଟନିକ୍ ଭି ଟିକା ସହିତ ବ୍ୟାପକ ଟୀକାକରଣ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଛି । ରିପୋର୍ଟ ଅନୁଯାୟୀ, ସମସ୍ତ ଋଷ ନାଗରିକଙ୍କ ପାଇଁ ସ୍ପୁଟନିକ୍ ଭି ମାଗଣାରେ ଉପଲବ୍ଧ ହେବ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ସରକାରୀ କର୍ତ୍ତୃପକ୍ଷଙ୍କୁ ସ୍ପୁଟନିକ୍ ଭି ସହିତ ଟୀକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବ୍ରିଟେନ୍ ଏବଂ ରୁଷ୍ ସରକାର ଟିକାର ସଂରକ୍ଷଣ ଓ ପରିବହନ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଋଷ 2 ମିଲିୟନ ଟିକା ଡୋଜ ଉତ୍ପାଦନ କରିବ ବୋଲି ପୁଟିନ ଦାବି କରିଛନ୍ତି ।
ଆସନ୍ତା ସପ୍ତାହରୁ ଫାଇଜର୍ -ବାୟୋଏନଟେକ୍ ଟିକାର ବ୍ୟବହାରକୁ ବ୍ରିଟେନ୍ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବାର କିଛି ଘଣ୍ଟା ପରେ ଋଷ ଦ୍ବାରା ଏହି ଘୋଷଣା କରାଯାଇଛି । ବ୍ରିଟେନ୍ ସ୍ବାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି, ଆସନ୍ତା ସପ୍ତାହରୁ ଟୀକାର ଗଣ ବ୍ୟବହାର ଆରମ୍ଭ ହେବ । ଅନ୍ୟପକ୍ଷେ ଫାଇଜର କହିଛି, ବ୍ରିଟେନର ଏମର୍ଜେନ୍ସି ଟିକା ବ୍ୟବହାର କୋରୋନା ମହାମାରୀ ଲଢ଼େଇ ବିରୋଧରେ ଏକ ଐତିହାସିକ ପଦକ୍ଷେପ । ଉଲ୍ଲେଖଯୋଗ୍ୟ, ମଡର୍ଣ୍ଣା ସହ ଫାଇଜର୍-ବାୟୋଏନଟେକ୍ ସେମାନଙ୍କ କୋଭିଡ୍ ଟୀକାର ଏମର୍ଜେନ୍ସି ବ୍ୟବହାରକୁ ସ୍ବୀକୃତି ଦେବାପାଇଁ ଆବେଦନ କରିଥିଲେ । ସେମାନଙ୍କ ଏହି ଆବେଦନକୁ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି ।
ଫାଇଜର୍ ଏବଂ ବାୟୋଏନ୍ଟେକ୍ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ଟୀକା ଆସନ୍ତା ମାସରେ ୟୁରୋପୀୟ ରାଷ୍ଟ୍ରରେ ଆରମ୍ଭ ହେବ । ଏହି ଟିକା ପ୍ରାୟ -70C ରେ ଗଚ୍ଛିତ ହେବା ଆବଶ୍ୟକ ଏବଂ ଡ୍ରାଏ ବରଫରେ ପ୍ୟାକ ହୋଇଥିବା ଏକ ସ୍ବତନ୍ତ୍ର ବାକ୍ସରେ ପରିବହନ କରାଯିବ । ଥରେ ଟିକା ଡେଲିଭରି ହେବା ପରେ ଏହାକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇପାରିବ ।