ମୁମ୍ବାଇ: ମହାମାରୀ କୋରୋନା ବିପର୍ଯ୍ୟୟକୁ ବର୍ଷେ ପୁରିବାକୁ ବସିଲାଣି । ହେଲେ ଥମୁନି ଏହାର ଆତଙ୍କ । ପୁନର୍ବାର ମହାରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ରାଜ୍ୟର କେତେକ ଅଞ୍ଚଳରେ କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆଗାମୀ 7 ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଗତ ବର୍ଷ ସେପ୍ଟେମ୍ବରର ସ୍ଥିତି ଭଳି ବିଦର୍ଭ ଅଞ୍ଚଳର ୟବତମାଲ, ଅକୋଲା, ଅମରାବତୀ ଓ ୱାର୍ଦ୍ଧାରେ ଅଣାୟତ ହୋଇଛି କୋରୋନା ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ପୁଣେ ଓ ମୁମ୍ବାଇ ସେପ୍ଟେମ୍ବରର ସ୍ଥିତିକୁ ଫେରିଛନ୍ତି, ତେବେ ଫେବୃଆରୀରରେ ସ୍ଥିତିକୁ ଦୃଷ୍ଟିରେ ରଖିଲେ ବିଦର୍ଭକୁ କୋରୋନାର ଏପିସେଣ୍ଟର ଅର୍ଥାତ କୋରୋନାର କେନ୍ଦ୍ରସ୍ଥଳୀ କୁହାଯାଇପାରେ । ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ରିପୋର୍ଟ ଉପରେ ଯଦି ନଜର ପକାଇବା ତେବେ ରବିବାର ୟବତମାଲାର ଦୈନିକ ପଜିଟିଭ ହାର 41.4 ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ସେପ୍ଟେମ୍ବର 15 ତୁଳନାରେ ଦୁଇଗୁଣ ରହିଛି । ସେହିପରି ଅମରାବତୀର ଦୈନିକ ସଂକ୍ରମଣ ହାର 38 ପ୍ରତିଶତ ରହିଛି । ସେପ୍ଟେମ୍ବରରେ ଏଠାରେ ସଂକ୍ରମଣ ହାର 32.5 ପ୍ରତିଶତ ରହିଥିଲା । ଅନ୍ୟପକ୍ଷେ ୱାର୍ଦ୍ଧାର ସଂକ୍ରମଣ ହାର ସେପ୍ଟେମ୍ବର ତୁଳନାରେ 3 ଗୁଣ ବୃଦ୍ଧି ପାଇ 24 ପ୍ରତିଶତରେ ପହଞ୍ଚିଛି ।
ମହାରାଷ୍ଟ୍ରରେ ସେପ୍ଟେମ୍ବର 10ରୁ 30 ଯାଏଁ ଅଧିକ ରହିଥିଲା କୋରୋନା ମାମଲା । ବର୍ତ୍ତମାନ ବିଦର୍ଭର 11ରୁ 6 ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ହାର ରହିଛି । ରବିବାର ସମଗ୍ର ରାଜ୍ୟରେ ସଂକ୍ରମଣ ହାର 11 ପ୍ରତିଶତ ଛୁଇଁଥିଲା ।
କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି 7 ଦନ ପାଇଁ ଏହି ସବୁ ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ କେବଳ ସକାଳ 9ରୁ 5 ଟା ପର୍ଯ୍ୟନ୍ତ ଖୋଲା ରହୁଛି ।
ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଆସନ୍ତା 7 ଦିନ ପାଇଁ ରାଜ୍ୟର ପାଞ୍ଚ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ହୋଇଥିବା ଜିଲ୍ଲା ଗୁଡିକ ହେଲା ଅମରାବତୀ, ଅକୋଲା, ବୁଲଧାନା, ବାସିମ ଓ ୟବତମାଲା । ଏସବୁ ଅଞ୍ଚଳରେ କୋଭିଡ ଗାଇଡଲାଇନ ଆସନ୍ତା 1 ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ ।