ପାଟନା: ବିହାର ଭାଗଲପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ପାଶାଣ ହୃଦୟ ବ୍ୟକ୍ତି ପତ୍ନୀକୁ ଜୁଆ ଖେଳରେ ହାରି ନିଜ ସାଙ୍ଗ ମାନଙ୍କ ହାତକୁ ଟେକି ଦେଇଥିଲା। ଏହାପରେ ମହିଳାଙ୍କ ସହ ଏକ ମାସ ଦୁଷ୍କର୍ମ କରିବା ପରେ ତାଙ୍କୁ ଏସିଡ ମାଡ଼ କରାଯାଇଥିଲା। ଏନେଇ ମହିଳା ଜଣକ ନିଜ ସ୍ବାମୀ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମୋଜାହିଦପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଏକ ମାସ ପୂର୍ବେ ମୋଜାହିଦପୁର ଥାନା ଅଞ୍ଚଳରେ ଜଣେ ଜୁଆଡ଼ି ଜୁଆ ଖେଳରେ ପତ୍ନୀକୁ ବାଜି ଲଗାଇ ଦେଇଥିଲା। ଖେଳରେ ହାରିଯିବାରୁ ପତ୍ନୀକୁ ନିଜ ବନ୍ଧୁମାନଙ୍କ ହାତକୁ ଟେକି ଦେଇଥିଲା ଯୁବକ। ଏହାପରେ ଯୁବକମାନେ ମହିଳାଙ୍କୁ ଏକ କୋଠରୀରେ ବନ୍ଧକ ରଖି ଏକ ମାସ ଧରି ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ଉପରେ ନାନା ଅତ୍ୟାଚାର କରୁଥିଲେ। ତେବେ କୌଣସି ମତେ ମହିଳା ଜଣକ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ। ହେଲେ ମହିଳା ନିଜ ସ୍ବାମୀଙ୍କ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ବାମୀ ତାଙ୍କ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ କରିଛନ୍ତି ମହିଳା।
ଘଟଣା ପଦାକୁ ଯେଭଳି ନଆସିବ ଏଥିପାଇଁ ମହିଳାଙ୍କ ଶାଶୁ ଘର ଲୋକ ତାଙ୍କ ଚିକିତ୍ସା କରାଉଥିଲେ। ତେବେ ମହିଳାଙ୍କୁ ନିଜ ଘର ସହ କଥା ହେବାକୁ ଦେଉନଥିଲେ। ଶେଷ ପୁନଃ ଚିକିତ୍ସାଧିନ ଅବସ୍ଥାରେ ମହିଳା ଜଣକ ନିଜ ଶାଶୁ ଘରୁ ଖସି ଆସି ବାପ ଘରେ ପହଞ୍ଚି ସମସ୍ତ କଥା କହିଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକେ ମୋଜାହିଦପୁର ଥାନା ଦ୍ବାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯଥାଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ଥାନା ଅଧିକାରୀ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ