ନୂଆଦିଲ୍ଲୀ: ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTV ଅଂଶଧନ କିଣିବ ଆଦାନୀ ଗ୍ରୁପ । ଆଦାନୀ ଗ୍ରୁପର ସହଯୋଗୀ ଏଏମଜି ମିଡିଆ ନେଟୱାର୍କ ଲିମିଟେଡ(AMG Media Network Ltd) ଓ ଏହାର ଶାଖା କମ୍ପାନୀ ବିଶ୍ବପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ NDTVର ୨୯.୧୮% ଶେୟାର ପରୋକ୍ଷ ଭାବେ ଅଧିଗ୍ରହଣ କରିବ । ଏହାସହିତ ଗ୍ରୁପ୍ NDTVର ଆଉ ୨୬% ଶେୟାର କିଣିବାକୁ ଖୋଲା ଅଫର ଦେଇଥିବା ସୂଚନା ମିଳିଛି । ଏହି ଅଧିଗ୍ରହଣ ସଫଳ ହେଲେ ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା ଏନଡିଟିଭିରେ ଆଦାନୀ ଗ୍ରୁପର ମୋଟ ଶେୟାର ୫୫.୧୮%କୁ ବୃଦ୍ଧି ପାଇବ । ଏହାସହିତ ଗଣମାଧ୍ୟମ ସଂସ୍ଥାର ମାଲିକାନା ଆଦାନୀ ଗ୍ରୁପ ହାତକୁ ଚାଲିଯିବ ।
RRPR(ଆରଆରପିଆର) NDTVର ପ୍ରମୋଟର କମ୍ପାନୀ ଅଟେ । RRPR ନିକଟରେ ଏହି ଗଣମାଧ୍ୟମ ସଂସ୍ଥାର ୨୯.୧୮ ପ୍ରତିଶତ ଶେୟାର ରହିଛି । ଯାହାଠାରୁ ଅଦାନୀ ଗ୍ରୁପ ଶେୟାର କିଣିବାକୁ ଯୋଜନା କରୁଛି । ଏହାବାଦ୍ ଗ୍ରୁପ ଗଣମାଧ୍ୟମ ସଂସ୍ଥାର ୨୬ ପ୍ରତିଶତ ଅତିରିକ୍ତ ଶେୟାର କିଣିବାକୁ ଲକ୍ଷ୍ୟ ରଖିଛି । ବିଶ୍ବପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ (VCPL) ସମେତ ଏଏମଜି ମିଡିଆ ନେଟୱାର୍କ (AMNL) ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ (AEL) ମିଳିତ ଭାବେ NDTVର ୧,୬୭,୬୨,୫୩୦ ପୂର୍ଣ୍ଣଦେୟ ଇକ୍ବିଟି ଶେୟାର ଶେୟାରଧାରକଙ୍କ ଠାରୁ କିଣିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ସେ ପ୍ରତି ଶେୟାର ପିଛା ୨୯୪ ଟଙ୍କା ଦେବାକୁ ଅଫର୍ କରିଛନ୍ତି । ଜେଏମ୍ ଫାଇନାନସିଆଲ ଲିମିଟେଡ ଏହାର ଘୋଷଣା କରିଛି । ଆଦାନୀ ଗ୍ରୁପ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ୨୦୨୨ ଆର୍ଥିକ ବର୍ଷରେ NDTV ଆୟ ୪୨୧ କୋଟି ଥିଲା । ତନ୍ମଧ୍ୟରୁ ନେଟ୍ ଲାଭ ୮୫ କୋଟି ରହିଥିଲା ।
ତେବେ ଏହି ଅଧିଗ୍ରହଣ ସମ୍ପର୍କିତ ଖବରକୁ ଖଣ୍ଡନ କରିଛି NDTV । ଏପରିକି ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସଫେଇ ମଧ୍ୟ ଦେଇଛି । NDTV ପକ୍ଷରୁ କହୁଯାଇଛି, ''VCPL ଏ ସମ୍ପର୍କରେ ଆମକୁ କୌଣସି ସୂଚନା ଦେଇନାହିଁ । ଆମର ବିନା ସହମତିରେ VCPL ଋଣକୁ ଇକ୍ବିଟିରେ ପରିବର୍ତ୍ତିତ କରିବାର ଅଧିକାର ବ୍ୟବହାର କରିଛି । ଆମ ସଂସ୍ଥାପକଙ୍କ ଅଂଶଧନରେ କୌଣସି ପରିବର୍ତ୍ତନ ହୋଇନଥିବା ଆମେ ଗୋଟିଏ ଦିନ ପୂର୍ବରୁ ହିଁ କହିସାରିଛୁ ।'' କହିରଖୁଛି କି, NDTVର ପ୍ରମୋଟର ପ୍ରଣୟ ରାୟଙ୍କ ପାଖରେ ୧୫.୯୪ ପ୍ରତିଶତ ଅଂଶଧନ/ଶେୟାର ରହିଛି । ୧୬.୩୨ ପ୍ରତିଶତ ଅଂଶଧନ ତାଙ୍କ ପତ୍ନୀ ରାଧିକା ରାୟଙ୍କ ନିକଟରେ ଅଛି । ଅର୍ଥାତ୍ ଦୁହିଁଙ୍କୁ ମିଶାଇଲେ ସେମାନେ NDTVର ମୋଟ ୨୯.୧୮ ପ୍ରତିଶତ ଶେୟାରଧାରକ ଅଟନ୍ତି । ଏବେ ଏହି ଶେୟାରକୁ ଅଦାନୀ ଗ୍ରୁପ କିଣିବାକୁ ଯାଉଥିବା ଖବର ମିଳୁଛି ।
NDTV ଜଣାଇଛି ଯେ, ତାଙ୍କ ସହ କୌଣସି ବିଚାର ବିମର୍ଷରେ ବିନା VCPL ନୋଟିସ୍ ପଠାଇଛି । ନୋଟିସ୍ ମୁତାବକ VCPL ୨୯.୧୮ ପ୍ରତିଶତ ଶେୟାର ରଖିଥିବା RRPR ଉପରେ ନିୟନ୍ତ୍ରଣ ହାସଲ କରିଛି । ଭିପିସିଏଲ ଯେଉଁ ଅଧିକାରର ପ୍ରୟୋଗ କରିଛନ୍ତି, ତାହା ୨୦୦୯-୧୦ ଆର୍ଥିକ ବର୍ଷରେ ଏନଡିଟିଭି, କମ୍ପାନୀ ସଂସ୍ଥାପକ ରାଧିକା ରାୟ ଓ ପ୍ରଣୟ ରାୟଙ୍କ ସହ କରିଥିବା ଋଣ ବୁଝାମଣା ଉପରେ ଆଧାରିତ ଅଟେ ।