କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗାଙ୍ଗୋପାଧ୍ୟାୟ ତାଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲା ସମ୍ପର୍କରେ କୋର୍ଟ ବାହାରେ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଟିଏମସି ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ । ଜଷ୍ଟିସ ଗାଙ୍ଗୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଷେକ ବାନାର୍ଜୀ ପିଟିସନରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋର୍ଟ ବାହାରେ ଅଭିଷେକଙ୍କ ମାମଲା ସମ୍ପର୍କରେ ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ ଯେପରି ମନ୍ତବ୍ୟ ଦେଉଛନ୍ତି, ତାହା ତାଙ୍କୁ ଲଜ୍ଜିତ କରିଛି । ସେଥିପାଇଁ ସେ ସମ୍ପୃକ୍ତ ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ମାଧ୍ୟମରେ ସର୍ବୋଚ୍ଚ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଅଭିଷେକ ଆହୁରି ମଧ୍ୟ ପିଟିସନରେ ଉଲ୍ଲେଖ କରିଛନ୍ତି, ଏକ ନିର୍ଦ୍ଦିଷ୍ଟ ବେଞ୍ଚ ଗଠନ କରାଯାଉ ଓ ଆବଶ୍ୟକ ସ୍ଥଳେ ସେଠାରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ମାମଲାର ଶୁଣାଣି କରାଯିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।
ସେ ଆହୁରି ମଧ୍ୟ ଆବେଦନରେ ଦର୍ଶାଇଛନ୍ତି, ନିକଟ ଅତୀତରେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ କୋର୍ଟ ବାହାରେ ତାଙ୍କ ବିରୋଧରେ କିଛି ବିଚାରାଧୀନ ମାମଲା ସମ୍ପର୍କରେ ବାରମ୍ବାର ମନ୍ତବ୍ୟ ଦେଇଛନ୍ତି । ଟିଏମସି ନେତା ଅଭିଷେକ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ବିଚାରପତି ଗଣମାଧ୍ୟମ ସମ୍ମୁଖରେ ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତିର ଉତ୍ସ କ’ଣ ବୋଲି ପ୍ରଶ୍ନ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଅଭିଷେକ ପ୍ରତିକ୍ରିୟାଶୀଳ ହୋଇଥିଲେ । ଏବେ ସେ ସର୍ବୋଚ୍ଚ କୋର୍ଟରେ ରାଜ୍ୟ ଉଚ୍ଚନ୍ୟାୟଳୟର ଜଣେ ବିଚାରପତିଙ୍କ ବିରୋଧରେ ମାମଲା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହା ମଧ୍ୟ ପଢନ୍ତୁ :- ବିଧାୟକ ପଦ ରଦ୍ଦ ମାମଲା: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଉଦ୍ଧବ ଗୋଷ୍ଠୀ
ତେବେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଏକାଧିକ ଘୋଟାଲା ଓ ଆର୍ଥିକ ହେରଫେର ମାମଲା ରହିଛି । ଉଭୟ ଏବେ କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ର ସ୍କାନରରେ ରହିଛନ୍ତି । ପୂର୍ବରୁ ମଧ୍ୟ ଇଡି ଏହି ମାମଲାରେ ବାନାର୍ଜୀ ଦମ୍ପତିଙ୍କୁ ସମନ ଜାରି କରି ଜେରା କରିସାରିଛି । ଟିଏମସି ଏହାକୁ ରାଜନୈତିକ ଅସହିଷ୍ଣୁତା ବୋଲି କହିଆସିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ