ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନ ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି । ଆଜି(ଗୁରୁବାର) ସକାଳେ ଜେଲର ବାଥରୁମରେ ସେ ହଠାତ୍ ଅଚେତ ହୋଇଯାଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ପ୍ରଥମେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ଅଣାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଏଲଏନଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟଗତ ଜଟିଳତା ପାଇଁ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ତିହାର ଜେଲ୍ ଡିଜିଙ୍କ ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ଜୈନ ଜେଲର ୭ ନଂ ସେଲରେ କଏଦୀ ଅଛନ୍ତି । ଆଜି ସକାଳ ପ୍ରାୟ ୬ଟା ସମୟରେ ବାଥରୁମ ଯାଇଥିବା ବେଳେ ସେ ହଠାତ୍ ଅଚେତ୍ ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡିଡିୟୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର କିଛି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଆଗକୁ ଆପ୍ ନେତାଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯିବାର ଅଛି । ତିହାର ଜେଲର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା । ତାଙ୍କର ବାମ ଗୋଡ, ପିଠି ଓ କାନ୍ଧରେ ଯନ୍ତ୍ରଣା ହେଉଥିବା ସେ କହିଥିଲେ ।
ଏହାମଧ୍ୟ ପଢନ୍ତୁ : ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରକାଶଥାଉ କି, ଗତ ସୋମବାର ଦିନ ମଧ୍ୟ ଆପ୍ ନେତା ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା । ମେରୁଦଣ୍ଡ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଶନିବାର ତାଙ୍କୁ ଦୀନ ଦୟାଲ ହସ୍ପିଟାଲ ନିଆଯାଇଥିଲା । ଏଠାରେ ତାଙ୍କର ସିଟି ସ୍କାନ, ଏମାରଆଇ ଏବଂ ଅନ୍ୟ କିଛି ଟେଷ୍ଟ କରାଯାଇଥିଲା । ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିଲା । ହେଲେ ଆଜି ପୁଣିଥରେ ସେ ଅସୁସ୍ଥ ହୋଇପଡିଛନ୍ତି । ଜେଲ ବାଥରୁମରେ ସେ ବେହୋସ୍ ହୋଇଯାଇଥିବା ସୂଚନା ମିଳିଛି ।
ମନି ଲଣ୍ଡରିଂ ମାମଲାରେ ଗତବର୍ଷ ମେ' ୩୦ରେ ସତ୍ୟେନ୍ଦ୍ର ଗିରଫ ହୋଇଥିଲେ । କିଛି ଦିନ ତଳେ ଆପ୍ କହିଥିଲା ଯେ, ଜେଲରେ ରହିବା ଦିନଠୁ ସତ୍ୟେନ୍ଦ୍ର ଜୈନଙ୍କୁ ୩୫ କେଜି ଓଜନ ହ୍ରାସ ହୋଇଛି । ସେ ମାନସିକ ବିଷାଦରେ ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ସଂସଦ ଭବନ ଉଦଘାଟନୀରେ ସାମିଲ ହେବେ ଅକାଳୀ ଦଳ, YSR କଂଗ୍ରେସ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ