ନୂଆଦିଲ୍ଲୀ: ଜେଲରେ ହରିହରି । ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଅଭଯୁକ୍ତ ଅଫତାବ(Murder Accused Aaftab) ଅନୁତାପ କରିନଥିବା ବେଳେ ଏବେ ଗିରଫ ହୋଇ ଜେଲରେ ରହିଛି । ନିଜ ବାନ୍ଧବୀକୁ ୩୫ ଖଣ୍ଡ କରି ଜହ୍ଲାଦ ପ୍ରେମିକ ତିହାର ଜେଲରେ ଥିବା ବେଳେ ସାହିତ୍ୟ ଉପନ୍ୟାସ ବହି ପଢିବାକୁ ନିବେଦନ କରିଥିବା ସୂଚନା ରହିଛି ।
ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ରଚିତ ଦି ଗ୍ରେଟ ରେଲଓ୍ବେ ବଜାର(The Great Railway Bazaar) ନୋବେଲ ପଢିବାକୁ ମାଗିଥିବା କଥା ସୂଚନା ମିଳିଛି । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।
ଅଫତାବ ପୁନାୱାଲାର ନାର୍କୋ ଆନାଲିସିସ୍ ଟେଷ୍ଟ ଗୁରୁବାର ଶେଷ ହୋଇଛି । ରୋହିଣୀ ସ୍ଥିତ ଡକ୍ଟର ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ୨ଘଣ୍ଟା ଧରି ଏହି ଟେଷ୍ଟ କରାଯାଇଥିଲା । ଏହା ପୂର୍ବରୁ ୪ଘଣ୍ଟା ଧରି ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ବୀକାର କରିଥିଲା।ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ଦେଇଥିବା ଉତ୍ତରକୁ ଫରେନସିକ୍ ସାଇନ୍ସ ଲାବୋରଟୋରୀରେ ଯାଞ୍ଚ କରାଯିବା ନେଇ ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ନିଜ ଲିଭ୍ ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକରକୁ ନିର୍ମମ ଭାବରେ ହତ୍ୟା କରିଥିଲା ଅଫତାବ୍ । ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ଅଫତାବ୍ । ପରବର୍ତ୍ତୀ ସମୟରେ ମୃତଦେହର ବିଭିନ୍ନ ଅଂଶ ଭିନ୍ନଭିନ୍ନ ସ୍ଥାନରେ ଫୋପାଡ଼ିଥିଲା ଅଫ୍ତାବ୍ । ବିଶେଷଜ୍ଞଙ୍କ ମତରେ ଏଭଳି ଅପରାଧ ପଛରେ ଅଧିକ କ୍ରୋଧ କିମ୍ବା ହିଂସକ ଅପରାଧର କାହାଣୀ ରହିଥାଏ ।
ବର୍ତ୍ତମାନ ୪ନମ୍ବର ତିହାର ଜେଲରେ ଅଫତାବ ରହୁଥିବା ବେଳେ ତାଙ୍କ ସହ ଆଉ ୨ଡଣ ରହୁଥିବା ସୂଚନା ମିଳିଛି । ତେବେ ଅଫତାବ କାହା ସହ କଥା ନହୋଇ ନିଜେ ନିଜେ ଚେସ ଖେଳୁଥିବା କଥା କହିଛନ୍ତି ଜେଲ କର୍ତ୍ତୃପକ୍ଷ ।