ଚଣ୍ଡିଗଡ଼: ବର୍ତ୍ତମାନ ପୁରୁଷଙ୍କଠୁ କୌଣସି ଗୁଣରେ କମ୍ ନୁହଁନ୍ତି ମହିଳା । ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କୁ ଟକ୍କର ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ମହିଳା । ଯାହାକୁ ସତ ପ୍ରମାଣିତ କରିଛନ୍ତି ପଞ୍ଜାବ ଭଟିଣ୍ଡା ସହର ବାଙ୍ଗି ନଗରର ଛିନ୍ଦର ପଲ କୌର । ସେ ଜୀବନ ଯୁଦ୍ଧରେ ହାରି ନଯାଇ ନିଜେ ସ୍ବାବଲମ୍ବୀ ହୋଇଛନ୍ତି । ପୁରୁଷ ପୋଷାକ ପିନ୍ଧି ଅଟୋ ଚଲାଇ ପରିବାରକୁ ପ୍ରତିପୋଷଣ କରୁଛନ୍ତି ।
କୁର୍ତ୍ତା, ପାଇଜାମା ଆଉ ପଗଡି ହେଉଛି ଛିନ୍ଦର ପଲ କୌରଙ୍କ ପରିଚୟ । ଏହି ବେଶରେ ପ୍ରତିଦିନ ଅଟୋ ଚଲାଇବା ପାଇଁ ସେ ବାହାରି ପଡିଥାନ୍ତି । ଛିନ୍ଦର ମହିଳା ହୋଇ ମଧ୍ୟ ପୁରୁଷଙ୍କ ପୋଷାକ ପିନ୍ଧି ଅଟୋ ଚଲାଇଥାନ୍ତି । ଏହା ପଛର କାରଣ ହେଉଛି ଆଜିକାଲି ମହିଳାଙ୍କ ଉପରେ ହେଉଥିବା ଆକ୍ରମଣ । ନିଜକୁ ଦୁର୍ବୃତ୍ତଙ୍କଠୁ ରକ୍ଷା କରିବା ପାଇଁ ସେ ପୁରୁଷ ପୋଷାକ ପିନ୍ଧି ଅଟୋ ଚଲାଇଥାନ୍ତି । ଯାହା ପାଇଁ ତାଙ୍କୁ ପରିହାସର ମଧ୍ୟ ଶିକାର ହେବାକୁ ପଡିଥାଏ । ମାତ୍ର ଭାଗ୍ୟର ବିଡମ୍ବନା ଆଗରେ ସେ ସବୁକୁ ହସି ହସି ସହ୍ୟ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ।
ଛିନ୍ଦରଙ୍କ ବିବାହ ପରେ ତାଙ୍କ ସ୍ବାମୀଙ୍କ ଅତ୍ୟାଚାରର ସେ ଶିକାର ହୋଇଥିଲେ । ଶେଷରେ ସହି ନପାରି ନିଜ 8 ମାସର ଶିଶୁ ସହ ଶାଶୁ ଘର ତ୍ୟାଗ କରିଥିଲେ । ତାଙ୍କର 4ଟି ସନ୍ତାନ ଥିବା ବେଳେ 3ଟି ସନ୍ତାନଙ୍କ କାଳକ୍ରମେ ମୃତ୍ୟୁ ଘଟିଛି । ମାତ୍ର ଗୋଟିଏ ଝିଅର ମୁହଁଙ୍କୁ ଦେଖି ସେ ବଞ୍ଚିଛନ୍ତି । ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ନିଜ ମାଆଙ୍କ ଘରେ ରହୁଥିଲେ । ଏହି ସମୟରେ ତାଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଥିଲା । ଏଭଳି ଦୁର୍ଦ୍ଦିନରେ ଜୀବନ ଚକ୍ରରେ ଭାଙ୍ଗିନପଡି ପରିବାର ଭାରକୁ ମୁଣ୍ଡରେ ବୋହି ସ୍ବାବଲମ୍ବୀ ହୋଇଥିଲେ । ରୋଜଗାର କରି ଆତ୍ମୀୟଙ୍କ ମୁହଁରେ ଦାନା ଦେବା ସହ ଅସୁସ୍ଥ ମାଆଙ୍କୁ ମଧ୍ୟ ଚିକିତ୍ସା ଯୋଗାଇଥିଲେ ।
ମଣିଷ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ । କିନ୍ତୁ ବଞ୍ଚିବାକୁ ହେଲେ ଯେକୌଣସି ପରିସ୍ଥିତିରେ ମଧ୍ୟ ଦମ୍ଭ ହୋଇ, ଏଭଳି ଝଡଝଞ୍ଝାକୁ ସାମନା କରିବାକୁ ପଡିଥାଏ । ସମାଜକୁ ଏହି ବାର୍ତ୍ତା ଦେବା ସହିତ ଜୀବନରେ ଆଗେଇ ଚାଲିଛନ୍ତି ପୁରୁଷ ବେଶଧାରିଣୀ ଛିନ୍ଦର । ଏହାସହିତ କିଛି ଅଧିକ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ